ଅନ୍ତର୍ଜାତୀୟ ଦିନିକିଆରେ ରୋହିତଙ୍କ ୧୦,୦୦୦ ରନ୍

କଲମ୍ବୋ: ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଭାରତର ଷଷ୍ଠ ଏବଂ ବିଶ୍ୱର ୧୫ତମ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୧୦,୦୦୦ ରନ୍ ପୂରଣ କରିଛନ୍ତି।

ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ଏସିଆ କପ୍ ସୁପର ଫୋର୍ ମ୍ୟାଚରେ ୨୨ ରନ୍ କରିବା ପରେ ଭାରତୀୟ ଅଧିନାୟକ ଏହି କୀର୍ତ୍ତିମାନ ହାସଲ କରିଥିଲେ | ଦ୍ରୁତ ବୋଲର କାସୁନ ରଜିତାଙ୍କ ବଲରେ ଏକ ସିଧା ଛକା ମାରି ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ ରୋହିତ ।

ରୋହିତଙ୍କ ପୂର୍ବରୁ ଭାରତର ସଚିନ ତେନ୍ଦୁଲକର (୧୮,୪୨୬), ବିରାଟ କୋହଲି (୧୩,୦୨୪), ସୌରଭ ଗାଙ୍ଗୁଲି (୧୧,୩୬୩), ରାହୁଲ ଦ୍ରାବିଡ (୧୦,୮୮୯) ଏବଂ ମହେନ୍ଦ୍ର ସିଂ ଧୋନି (୧୦,୭୭୩) ଅନ୍ତର୍ଜାତୀୟ ଦିନିକିଆରେ ୧୦,୦୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। କୋହଲି ସୋମବାର ପାକିସ୍ତାନ ବିପକ୍ଷରେ ୧୨୨ ରନର ଇନିଂସ୍ ବେଳେ ଦିନିକିଆରେ ୧୩,୦୦୦ ରନ୍ ପୂରଣ କରିଥିଲେ।

ରୋହିତ ତାଙ୍କ କ୍ୟାରିୟରର ୨୪୮ତମ ଦିନିକିଆ ମ୍ୟାଚ୍ ଓ ୨୪୧ତମ ଇନିଂସରେ ୧୦,୦୦୦ ରନ୍ ମାଇଲଖୁଣ୍ଟରେ ପହଞ୍ଚିଛନ୍ତି | ତାଙ୍କ ଅପେକ୍ଷା କେବଳ କୋହଲି କମ୍ ଇନିଂସରେ (୨୦୫ ଇନିଂସ) ଏହି ସଫଳତା ହାସଲ କରିଥିଲେ | ତେନ୍ଦୁଲକର ୨୫୯ ତମ ଇନିଂସରେ ୧୦ ହଜାର ମାଇଲଖୁଣ୍ଟ ଛୁଇଁଥିଲେ ।

ରୋହିତ ହେଉଛନ୍ତି ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ୫୦ ଓଭର କ୍ରିକେଟରେ ତିନି ଦ୍ୱିଶତକ ହାସଲ କରିଛନ୍ତି। ସେ ନଭେମ୍ବର ୨୦୧୪ରେ କୋଲକାତାରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନର ଇନିଂସ ଖେଳିଥିଲେ, ଯାହାକି ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର |

ନଭେମ୍ବର ୨୦୧୩ରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ରନ୍ ଏବଂ ଡିସେମ୍ବର ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଅପରାଜିତ ୨୦୮ ରନ୍ କରିଥିଲେ। ସେ ଏପର୍ଯ୍ୟନ୍ତ ଏହି ଫର୍ମାଟରେ ୩୦ଟି ଶତକ ହାସଲ କରିଛନ୍ତି।

ବେଲଫାଷ୍ଟରେ ଆୟର୍ଲାଣ୍ଡ ବିପକ୍ଷରେ ୨୩ ଜୁନ୍ ୨୦୦୭ରେ ଦିନିକିଆ ଡେବ୍ୟୁ କରିଥିବା ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୨୫୨୫ ରନ୍ ସଂଗ୍ରହ କରିଛନ୍ତି। ସେ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୫୦୦ ରୁ ଅଧିକ ରନ୍ କରିଛନ୍ତି।

Comments are closed.