ବିଏମସିର ଘର ଘର ସଂପର୍କ ଅଭିଯାନ: ଗୋଷ୍ଠୀ ସହଭାଗିତା ପାଇଁ ନିବେଦନ କଲେ କମିଶନର 

ଭୁବନେଶ୍ୱର – ଡେଙ୍ଗୁ ସଚେତନତା ପାଇଁ ଘର ଘର ସଂପର୍କ କାର୍ଯ୍ୟକ୍ରମକୁ ଭୁବନେଶ୍ବର ମହାନଗର ନିଗମ ( ବିଏମ୍‌ସି ) ପକ୍ଷରୁ ଜୋରଦାର କରାଯାଇଛି । ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଆଜି ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଘର ଘର ସଂପର୍କ କାର୍ଯ୍ୟକ୍ରମ । ଆଜି ବିଏମ୍‌ସିର ଉତ୍ତର ମଣ୍ଡଳ ଅନ୍ତର୍ଗତ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରାୟ ୫ ଶହ ଶିକ୍ଷାର୍ଥୀଙ୍କୁ ନେଇ ହୋଇଥିଲା ବିଦ୍ୟାଳୟ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ । ଏଥିରେ ଯୋଗଦେଇଥିଲେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ , ଟିମ୍ ବିଏମ୍‌ସି ଏବଂ ବିଦ୍ୟାଳୟର ନିର୍ଦ୍ଦେଶକ ଡକ୍ଟର ସଂଜୟ କୁମାର ସୁଆର । ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଉପସ୍ଥିତ ଶିକ୍ଷାର୍ଥୀଙ୍କ ମନରେ ଡେଙ୍ଗୁ ରୋଗର କାରଣ , ନିରାକରଣ ଏବଂ ରୋଗ ପ୍ରତିଷେଧକ ବାର୍ତ୍ତା କିପରି ସେମାନଙ୍କ ମାଧ୍ୟମରେ ସମାଜକୁ ଯାଇପାରିବ ସେ ସଂପର୍କରେ ଅବଗତ କରାଇଥିଲେ ବିଏମସି କମିଶନର। କେବଳ ଶିକ୍ଷିତ ହେଲେ ଯେ ଡେଙ୍ଗୁ ପ୍ରତିଷେଧକ ଉପାୟ ଅବଲମ୍ବନ କରିପାରିବେ ତାହା ନୁହେଁ , ବରଂ ନିଜେ ସଚେତନ ରହି ନିଜ ଘର ଏବଂ ଘର ପାଖରେ ମଶା ଲାର୍ଭା ସୃଷ୍ଟି ହେବାର କୌଣସି ଉତ୍ସ ଅଛି କି ନାହିଁ ତାହା ତନଖି ଦେଖିବାର ଗୁରୁଦାୟିତ୍ଵ ଛାତ୍ରଛାତ୍ରୀଙ୍କର ବୋଲି କମିଶନର କହିଥିଲେ । ଏହା ବ୍ୟତୀତ ବର୍ଜ୍ୟ ପୃଥକୀକରଣ ବାବଦରେ ଛାତ୍ରଛାତ୍ରୀ ଜାଣିବାର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ବିଏମସି କମିଶନର କହିଥିଲେ।

ଛାତ୍ରଛାତ୍ରୀମାନେ ବର୍ଜ୍ୟ ପୃଥକୀକରଣ ସଂପର୍କରେ ପରିବାର , ସାଙ୍ଗସାଥୀଙ୍କୁ ସଚେତନ କରାଇ ପାରିଲେ ଆମ ପରିବେଶ ଓ ସହର ସ୍ବଚ୍ଛ ଓ ସୁନ୍ଦର ହୋଇପାରିବ ବୋଲି କହିଥିଲେ କମିଶନର । ଏହା ପରେ ଟିମ୍ ବିଏମ୍‌ସି ୭ ନମ୍ବର ୱାର୍ଡ ଅନ୍ତର୍ଗତ କାନନ ବିହାର ଅଂଚଳ ବୁଲି ଘର ଘର ସଂପର୍କ କାର୍ଯ୍ୟକ୍ରମ ଚାଲୁ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର , ସ୍ୱାସ୍ଥ୍ୟ ଏବଂ ପରିମଳ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ , ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ , ସହରାଂଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଦାୟିତ୍ବରେ ଥିବା ଡାକ୍ତର ସୁମନ ସୁନ୍ଦରାୟ , ଶିଖରଚଣ୍ଡୀ ଅଂଚଳର ଚିକିତ୍ସା ଅଧିକାରୀ ଡାକ୍ତର ଦୀପକ ୟନମ୍ , ସ୍ଥାନୀୟ ବରିଷ୍ଠ ନାଗରିକ , ସାମାଜିକ କର୍ମୀ , ଆଂଟି ଲାର୍ଭା ୱାର୍କର ପ୍ରମୁଖ ୱାର୍ଡର ପ୍ରତ୍ୟେକ ଘର ବୁଲି ଲୋକଙ୍କୁ ସଚେତନ କରାଇବା ସହ ମଶା ଲାର୍ଭା ଉତ୍ସଗୁଡିକରେ ଲାର୍ଭା ନାଶକ ତେଲ ସିଂଚନ କରିଥିଲେ । ଯେଉଁସ୍ଥାନରେ ଘାସ କିମ୍ବା ବୁଦା ରହିଛି , ସେଗୁଡିକୁ ତୁରନ୍ତ ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ଏବଂ ଏଥିରେ ନିରନ୍ତର ଗୋଷ୍ଠୀ ସହଭାଗିତା ପାଇଁ ନିବେଦନ କରିଛନ୍ତି କମିଶନର ।

Comments are closed.