ଭୁବନେଶ୍ୱର ଏସସି, ଏସଟି ପ୍ରତିଷ୍ଠାନରେ ପ୍ରଥମ ଥର ପାଇଁ ତାଲିମ ନେଲେ ରାଜ୍ୟ ବାହାରର ଅଧିକାରୀ

ଭୁବନେଶ୍ଵର – ଛତିଶଗଡ଼ ସରକାରଙ୍କ ଦ୍ବାରା ଆଦିବାସୀ କଲ୍ୟାଣ ବିଭାଗରେ ୧୧ ଜଣ ନବ ନିଯୁକ୍ତ ସହକାରୀ ନିର୍ଦ୍ଦେଶକଙ୍କ ତିନି ଦିନିଆ ଦିଗଦର୍ଶନ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ଵରର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଚଳିତ ମାସ ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ଓ ପଛୁଆ କଲ୍ଯାଣ ବର୍ଗ ବିଭାଗର କମିଶନର ତଥା ସଚିବ ରୂପା ରୋଶନ ସାହୁ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥଲେ ଏବଂ ସେମାନଙ୍କୁ ଏକ ସ୍ମାରକୀ ପ୍ରଦାନ କରିଥିଲେ। ଆଦିବାସୀ କଲ୍ୟାଣ ବିଭାଗ ଆଦିବାସୀ ସମ୍ପ୍ରଦାୟର ବିକାଶରେ କିଭଳି ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ସେ ସମ୍ପର୍କରେ କମିଶନର ତଥା ସଚିବ ଆଲୋକପାତ କରିଥିଲେ । ସେ ସହକାରୀ ନିର୍ଦ୍ଦେଶକମାନଙ୍କୁ ଭବିଷ୍ୟତରେ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ପୂର୍ଣ୍ଣ ନିଷ୍ଠା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜ୍ୟରେ ପ୍ରଶିକ୍ଷଣ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଳେ ପ୍ରଥମ ଥର ପାଇଁ ରାଜ୍ୟ ବାହାରର ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି ।

ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଦିଗଦର୍ଶନ ତାଲିମ କାର୍ଯ୍ୟକ୍ରମ ଆଦିବାସୀ ସଂସ୍କୃତି ଓ ଏତିହ୍ୟକୁ ଲୋକାଭିମୁଖୀ କରିବା ସହ ଆଦିବାସୀ କଲ୍ୟାଣ ବିଭାଗର ଲକ୍ଷ୍ୟକୁ ପୂରଣ କରିବ । ଏହି ତାଲିମ କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥୁଲା । ଏଥିରେ ଆଦିବାସୀ ସମ୍ପ୍ରଦାୟର ଇତିହାସ, ସଂସ୍କୃତି ଓ ବିକାଶ ପାଇଁ ସରକାରଙ୍କ ଯୋଜନା ଏବଂ ଆଦିବାସୀ ଅଧିକାରକୁ ନେଇ ସରକାରଙ୍କ କାର୍ଯ୍ୟକାରିତା ବିଷୟରେ ସୂଚନା ଦିଆଯାଇଥିଲା ।

ନବନିଯୁକ୍ତ ସହକାରୀ ନିର୍ଦ୍ଦେଶକମାନେ ରାଜ୍ୟ ଆଦିବାସୀ ସଂଗ୍ରହାଳୟ, ପାଠାଗାର ଓ ପିଭିଟିଜି ପରିସର ଆଦି ବୁଲି ଦେଖିଥିଲେ | ଅଧୃକାରୀମାନଙ୍କୁ ଲିଙ୍ଗରାଜ ମନ୍ଦିର, ଧଉଳି ଓ ଖଣ୍ଡଗିରି ଆଦି ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନରେ ନିଆଯାଇଥୁଲା । ଅଂଶଗ୍ରହଣକାରୀମାନେ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିବା ସହିତ ବିଶେଷଜ୍ଞମାନଙ୍କ ଅଭିଜ୍ଞତାରୁ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥିଲେ।

Comments are closed.