ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ସନାତନ ଧର୍ମର ଅନ୍ତ ଘଟାଇବାକୁ ଚାହୁଁଛି: ପ୍ରଧାନମନ୍ତ୍ରୀ ମୋଦୀ

ବୀନା (ମଧ୍ୟ ପ୍ରଦେଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବିରୋଧୀ ମେଣ୍ଟ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଏନ୍ସ (ଇଣ୍ଡିଆ) ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ‘ଇଣ୍ଡିଆ’ ମେଣ୍ଟକୁ ‘ଅହଂକାରୀ’ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ ଅଭିଯୋଗ କରିଛନ୍ତି ଯେ ଏହାର ନେତାମାନେ ସନାତନ ଧର୍ମର ଅନ୍ତ ଘଟାଇବାକୁ ନିଷ୍ପତ୍ତି ନେଇସାରିଛନ୍ତି ।

ଏଠାରେ ଏକ କାର୍ଯ୍ୟକ୍ରମରେ ୫୦,୮୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ବିରୋଧୀ ମେଣ୍ଟ ଦେଶ ତଥା ସମାଜକୁ ବିଭାଜନ କରୁଥିବା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଏଠାରେ କିଛି ଦଳ ଅଛନ୍ତି ଯେଉଁମାନେ ଦେଶ ଏବଂ ସମାଜକୁ ବିଭାଜନ କରିବାକୁ ଉଦ୍ୟମ କରୁଛନ୍ତି। ମିଳିତ ଭାବେ ସେମାନେ ଏକ ଆଇଏନଡି ମେଣ୍ଟ ଗଠନ କରିଛନ୍ତି, ଯାହାକୁ କିଛି ଲୋକ ଏକ ‘ଅହଂକାରୀ’ ମେଣ୍ଟ ବୋଲି ମଧ୍ୟ କହିଛନ୍ତି।

ବିରୋଧୀ ଦଳଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ସେମାନଙ୍କର ନେତା କିଏ ଠିକ୍ ହୋଇନାହିଁ ଏବଂ ନେତୃତ୍ୱକୁ ନେଇ ଦ୍ୱନ୍ଦ୍ୱ ରହିଛି । କିନ୍ତୁ ସେମାନେ ମୁମ୍ବାଇରେ ଏକ ବୈଠକରେ ‘ଅହଂକାରୀ ମିଳିତ ମଞ୍ଚ’ର ନୀତି ଏବଂ ରଣନୀତି ସ୍ଥିର କରିଛନ୍ତି । ଏକ ଗୋପନ ଏଜେଣ୍ଡା ଉପରେ ମଧ୍ୟ ନିଷ୍ପତ୍ତି ନେଇସାରିଛନ୍ତି।

ମୋଦୀ କହିଛନ୍ତି, “କିନ୍ତୁ ଏହି ଅହଂକାରୀ ମେଣ୍ଟର ନୀତି ଏବଂ ରଣନୀତି ହେଉଛି ଭାରତର ସଂସ୍କୃତି ଉପରେ ଆକ୍ରମଣ କରିବା। ଏହି ଆଇଏନଡିଆଇ ମିଳିତ ମଞ୍ଚର ନିଷ୍ପତ୍ତି ହେଉଛି ଭାରତୀୟଙ୍କ ବିଶ୍ୱାସ ଉପରେ ଆକ୍ରମଣ କରିବା | ଯେଉଁ ବିଚାର ଓ ସଂସ୍କାର ହଜାର ହଜାର ବର୍ଷ ଧରି ଭାରତକୁ ଯୋଡ଼ି ରଖିଛି ତାହାକୁ ଧ୍ବଂସ କରିବା ହେଉଛି ଏହି ଅହଂକାରୀ ଗଠବନ୍ଧନର ଉଦ୍ଦେଶ୍ୟ |

ଏହି ଅହଂକାରୀ ବିରୋଧୀ ମେଣ୍ଟ ସନାତନ ମୂଲ୍ୟବୋଧ ଏବଂ ପରମ୍ପରାକୁ ବିଲୋପ କରିବାକୁ ସଂକଳ୍ପ ନେଇଛି। ସେହି ସନାତନ ଯାହାକୁ ମହାତ୍ମା ଗାନ୍ଧୀ ଜୀବନବ୍ୟାପୀ ପାଳନ କରିଆସୁଥିଲେ, ସେହି ସନାତନ ଯାହା ତାଙ୍କୁ ଅସ୍ପୃଶ୍ୟତା ବିରୁଦ୍ଧରେ ଏକ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରେରଣା ଦେଇଥିଲା ଏବେ ସେହି ସନାତନର ଅନନ୍ତ ପରମ୍ପରାକୁ ଏହି ଅହଂକାରୀ ମେଣ୍ଟର ଲୋକମାନେ ଶେଷ କରିବାକୁ ଚାହୁଁଛନ୍ତି। ”

ଉଲ୍ଲେଖଯୋଗ୍ୟ, ଡିଏମକେ ନେତା ଉଦୟନିଧି ଷ୍ଟାଲିନ ନିକଟରେ ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ସନାତନ ଧର୍ମ ସାମାଜିକ ନ୍ୟାୟ ବିରୋଧୀ ଏବଂ ଏହାର ମୂଳପୋଛ କରାଯିବା ଉଚିତ।

ସନାତନ ଧର୍ମକୁ କରୋନା ଭାଇରସ୍, ମ୍ୟାଲେରିଆ ଏବଂ ଡେଙ୍ଗୁ ସହ ତୁଳନା କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ କହିଥିଲେ ଯେ ଏଭଳି ଧର୍ମକୁ କେବଳ ବିରୋଧ କରାଯିବା ଉଚିତ ନୁହେଁ ବରଂ ବିଲୋପ ହେବା ଉଚିତ।

ଆଉ ଜଣେ ଡିଏମକେ ନେତା ଏ.ରାଜା ମଧ୍ୟ ସନାତନ ଧର୍ମକୁ କୁଷ୍ଠରୋଗ ସହିତ ତୁଳନା କରି ନିଆଁରେ ଘିଅ ଢ଼ାଳି ଥିଲେ।

ଡିଏମକେ ନେତାଙ୍କ ସନାତନ ବିରୋଧୀ ବୟାନ ପରେ ବିଜେପି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଉପରେ ଆକ୍ରମଣ କରିଆସୁଛି। ଡିଏମକେ ‘ଇଣ୍ଡିଆ’ ମେଣ୍ଟର ଏକ ସହଯୋଗୀ ଦଳ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳର ନେତାମାନେ ବର୍ତ୍ତମାନ ସନାତନ ଧର୍ମ ବିରୋଧରେ ଖୋଲାଖୋଲି ଭାବେ କହିବା ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ସେମାନଙ୍କ ଆକ୍ରମଣ ଆହୁରି ବଢ଼ିବ।

Comments are closed.