ନେପାଳ ବ୍ୟାଟରଙ୍କ କମାଲ: ଭାଙ୍ଗିଲା ଯୁବରାଜ ଓ ରୋହିତଙ୍କ ରେକର୍ଡ

ହାଙ୍ଗଝୋ: ଏସୀୟ କ୍ରୀଡ଼ା କ୍ରିକେଟ୍ ଇଭେଣ୍ଟରେ ମୋଙ୍ଗୋଲିଆ ବିପକ୍ଷ ମ୍ୟାଚରେ ନେପାଳ ତିନୋଟି ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ନେପାଳ ପ୍ରଥମ ଦଳ ଭାବେ ନେପାଳ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୩୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛି ।

ଏହାଛଡ଼ା ନେପାଳର ୧୯ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ କୁଶଲ ମଲ୍ଲ ମଧ୍ୟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ଶତକ କୀର୍ତ୍ତିମାନ କରିଛନ୍ତି । ସେ ମାତ୍ର ୩୪ ବଲରେ ଶତକ ପୂରଣ କରି ଡେଭିଡ ମିଲର ଏବଂ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି । ଉଭୟ ମିଲର ଓ ରୋହିତ ୩୫ ବଲରେ ଶତକ ହାସଲ କରିଥିଲେ।

ତିନି ନମ୍ବରରେ ବ୍ୟାଟିଂ କରିଥିବା କୁଶଲ ୧୨ଟି ଛକା ଓ ୮ଟି ଚୌକା ସହ ୧୩୭ ରନର ଅପରାଜିତ ଇନିଂସ ଖେଳିଥିଲେ । ଫଳରେ ନେପାଳ ପ୍ରଥମେ ବ୍ୟାଟିଂ କରି ତିନି ୱିକେଟ୍ ହରାଇ ୩୧୪ ରନ୍ କରିଥିଲା, ଯାହା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସର୍ବୋଚ୍ଚ ସ୍କୋର ।

ନେପାଳର ପାଞ୍ଚ ନମ୍ବର ବ୍ୟାଟ୍ସମ୍ୟାନ୍ ଦୀପେନ୍ଦ୍ର ସିଂ ଆରି ମଧ୍ୟ ବିସ୍ଫୋରକ ବ୍ୟାଟିଂ ସହ କେବଳ ୯ଟି ବଲରେ ଅର୍ଦ୍ଧଶତକ ହାସଲ କରି ଯୁବରାଜ ସିଂଙ୍କ ୧୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।

ଯୁବରାଜ ୧୯ ସେପ୍ଟେମ୍ବର ୨୦୦୭ରେ ଇଂଲଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପ ମ୍ୟାଚର ୫୮ ରନ୍‌ର ଇନିଂସ ବେଳେ ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସର୍ବୋଚ୍ଚ ସ୍କୋର ପୂର୍ବରୁ ଆଫଗାନିସ୍ତାନ ନାଁରେ ଥିଲା । ଆଫଗାନିସ୍ତାନ ୨୩ ଫେବୃଆରୀ ୨୦୧୯ରେ ଆୟର୍ଲାଣ୍ଡ ବିପକ୍ଷରେ ୩ ୱିକେଟ୍ ହରାଇ ୨୭୮ ରନ୍ କରିଥିଲା |

Comments are closed.