ଭିଜିଲାନ୍ସ ବିଭାଗର ପଦକ୍ଷେପ: ଭିସିରେ ସାକ୍ଷ୍ୟ ଗ୍ରହଣ

ବ୍ରହ୍ମପୁର: ଭିଜିଲାନ୍ସ ବିଭାଗ ଗ୍ରହଣ କରିଛି ନୂଆ ଏକ ପଦକ୍ଷେପ। ସାକ୍ଷ୍ୟଗ୍ରହଣଜନିତ ସମସ୍ୟା ହେତୁ କେସ୍‌ ବିଚାରଣାରେ ବିଳମ୍ବର ପ୍ରତିକାର ପାଇଁ ଏଣିକି ଭିଡିଓ କନଫରେନ୍ସିଂରେ ସାକ୍ଷ୍ୟ ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଅନେକ ମାମଲାରେ ସାକ୍ଷୀ ଉପସ୍ଥିତ ହୋଇ ପାରୁ ନଥିବାରୁ କେସ୍‌ ବିଚାରଣା ଗଡ଼ି ଗଡ଼ି ଯାଉଛି। ଏଣୁ ଏହାର ସମାଧାନ ଦୃଷ୍ଟିରୁ ରାଜ୍ୟର ବିଭିନ୍ନ ଭିଜିଲାନ୍ସ ଡିଭିଜନ୍‌ରେ ଭିଡିଓ କନ୍‌ଫରେନ୍ସ ରିମୋଟ ପଏଣ୍ଟ ସ୍ଥାପନ କରାଯାଇଛି। ଏବେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ଅଫିସ ପରିସରେ ମଧ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ଏସ୍‌ପି ଗଣେଶ ଚନ୍ଦ୍ର ପ୍ରଧାନ ଏହାକୁ ବୁଧବାର ଉଦ୍‌ଘାଟନ କରିଛନ୍ତି। ଏଠାରୁ ରାଜ୍ୟର ଯେକୌଣସି ଭିଜିଲାନ୍ସ କୋର୍ଟ ନିମନ୍ତେ ସାକ୍ଷ୍ୟପ୍ରଦାନ କରିହେବ। ବିଚାରପତି ଭିଡିଓ କନ୍‌ଫରେନ୍ସିଂ ମାଧ୍ଯମରେ ସାକ୍ଷ୍ୟ ଗ୍ରହଣ କରିପାରିବେ ବୋଲି କହିଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି। ଡିଜିଟାଲ୍‌ ଯୁଗରେ ପରିବର୍ତ୍ତିତ ବ୍ୟବସ୍ଥାକୁ ଗ୍ରହଣ କରି ଆଗେଇବା ଦିଗରେ ଏହା ଭିଜିଲାନ୍ସ ବିଭାଗର ଏକ ଯୁଗପଯୋଗୀ ପଦକ୍ଷେପ ସାବ୍ୟସ୍ତ ହେଉଛି। ପ୍ରଥମ ଦିନ ଫୁଲବାଣୀ କୋର୍ଟର ଏକ କେସ୍‌ରେ ଜଣେ ପ୍ରଶାସନିକ ଅଧିକାରୀ ଆଦିତ୍ୟ କୁମାର ସ୍ଵାଇଁ ରିମୋଟ ପଏଣ୍ଟରୁ ସାକ୍ଷୀ ଦେଇଥିଲେ।

Comments are closed.