ଆଇଏନପିଆର୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିବିଧ କାର୍ଯ୍ୟକ୍ରମ : ଗାନ୍ଧିଜୀ ଓ ଅନ୍ୟାନ୍ୟ ବରପୁତ୍ରଙ୍କ ଉପରେ ବୃତ୍ତଚିତ୍ର ପ୍ରଦର୍ଶିତ

ଭୁବନେଶ୍ୱର – ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନ ପ୍ରେକ୍ଷାଳୟରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଓଡ଼ିଶାର ବରପୁତ୍ରମାନଙ୍କ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି ‘ ଓଡ଼ିଶାରେ ଗାନ୍ଧିଜୀ ’ , ‘ ଉତ୍କଳମଣି ଗୋପବନ୍ଧୁ ଦାସ ’ ଏବଂ ‘ସହିଦ ବାଜିରାଉତ ’ ଶୀର୍ଷକ ତିନିଟି ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ଏବଂ ସ୍ଵାଧୀନତା ସଂଗ୍ରାମର ବିଭିନ୍ନ ଘଟଣା ‘ ଓଡ଼ିଶାରେ ଗାନ୍ଧିଜୀ ’ ବୃତ୍ତଚିତ୍ରରେ ପ୍ରଦର୍ଶିତ ହୋଇଥିଲା । ସେହିପରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନୀ , ସହିଦ ବାଜିରାଉତଙ୍କ ବୀରତ୍ଵର କାହାଣୀକୁ ନେଇ ଅନ୍ୟ ଦୁଇଟି ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ‘ ସ୍ଵରସୁଧା ’ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୌରଭ ନାୟକ , ଜୟଶ୍ରୀ ଜ୍ୟୋତିର୍ମୟୀ ସାହୁ , ବର୍ଣ୍ଣାଳି ହୋତା , ଗଣେଶ ମହାରଣା ଓ ସାଥୀ କଳାକାରମାନେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ। ଏହି ଦୁଇ ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ୟୁନିଟ୍ – ୨ କ୍ୟାପିଟାଲ୍ ବାଳିକା ହାଇସ୍କୁଲ , ମଦର୍ସ ପବ୍ଲିକ୍ ସ୍କୁଲ , ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ , ୟଙ୍ଗ୍ ଫେନିକ୍ସ ଏବଂ ଓପନ୍‌ ଲଗିଂ ସିଷ୍ଟମ ଆଦି ବିଭିନ୍ନ ବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟକୁ ନେଇ ସୋମବାରଠାରୁ ଏଠାରେ ଆରମ୍ଭ ହୋଇଥିବା ତିନିଦିନିଆ ଫଟୋଚିତ୍ର ପ୍ରଦର୍ଶନୀକୁ ଛାତ୍ରଛାତ୍ରୀମାନେ ବୁଲି ଦେଖୁଥିଲେ । ଆସନ୍ତାକାଲି ( ୪ ତାରିଖ) ଅପରାହ୍ନ ୩ ଘଟିକା ସମୟରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜୟଦେବ ଭବନଠାରେ ରିଚାର୍ଡ ଆଟେନବର୍ଗଙ୍କ ‘ ଗାନ୍ଧୀ ’ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

ଆଜିର ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ , ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ , ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି , ସହକାରୀ ନିର୍ଦ୍ଦେଶକ ( କ୍ଷେତ୍ର ) ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.