ଭାରତକୁ ଝଟକା, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶୁଭମାନ ଗିଲଙ୍କୁ ଡେଙ୍ଗୁ

ଚେନ୍ନାଇ: ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କ ଅସୁସ୍ଥତା ଭାରତ ପାଇଁ ଚିନ୍ତାର କାରଣ ହେଇଛି । ଏହି ଇନ-ଫର୍ମ ଓପନର୍‌ ଡେଙ୍ଗୁରେ ପୀଡ଼ିତ ଥିବା ଜଣାପଡ଼ିଛି । ତାଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। ବିସିସିଆଇର ମେଡିକାଲ ଟିମ୍ ତତ୍ତ୍ଵାବଧାନରେ ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି ।

ଶୁଭମାନ ଗିଲ୍ ଗୁରୁବାର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଦଳର ନେଟ୍ ସେସନରେ ବି ଭାଗ ନେଇ ନଥିଲେ। ଗିଲଙ୍କ ସ୍ବାସ୍ଥ୍ୟ ଉପରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ନଜର ରଖିଛି । ଶୁକ୍ରବାର ତାଙ୍କର ଆଉ ଏକ ଟେଷ୍ଟ ହେବ । ଏହାପରେ ହିଁ ଅଷ୍ଟ୍ରେଲିଆ ମ୍ୟାଚ୍ ପାଇଁ ସେ ଉପଲବ୍ଧ ହେବେ ନା ନାହିଁ ଜଣାପଡ଼ିବ ।

ଯଦି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶୁଭମାନ ଗିଲ ସୁସ୍ଥ ନ‌ ହୁଅନ୍ତି, ତେବେ ଭାରତୀୟ ଦଳ ଅନ୍ୟ ବିକଳ୍ପ ଦେଖିବ। ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଶନ ନା କେଏଲ୍ ରାହୁଲ ଇନିଂସ ଓପନ୍ କରିବେ ତାହା ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ। ଚୂଡ଼ାନ୍ତ ଏକାଦଶରୁ ଗିଲ୍ ଯଦି ବାଦ୍ ପଡନ୍ତି ତେବେ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ବଡ଼ ଝଟକା ହେବ । କାରଣ ସେ ଚମତ୍କାର ଫର୍ମରେ ଅଛନ୍ତି।

ଶୁଭମାନ ଗିଲ ଚଳିତ ବର୍ଷ ଆରମ୍ଭରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ। ୱେଷ୍ଟଇଣ୍ଡିଜ୍ ଟୁର୍ ପ୍ରଦର୍ଶନକୁ ଛାଡ଼ି ସେ ଅନ୍ୟ ସବୁ ସିରିଜରେ ସ୍ଥିର ପ୍ରଦର୍ଶନ କରିଛନ୍ତି | ଏହି ଯୁବ ୮୯୦ ରନ୍ ସହ ଆଇପିଏଲ୍-୨୦୨୩ରେ ଅଗ୍ରଣୀ ରନ୍ ସ୍କୋରର ହୋଇଥିଲେ | ଏହାଛଡ଼ା ନିକଟରେ ଏସିଆ କପରେ ୩୦୨ ରନ୍ ସହ ବ୍ୟାଟିଂ ଚାର୍ଟ ଶୀର୍ଷରେ ରହିଥିଲେ ଗିଲ୍ | ଗତ କିଛି ଇନିଂସରେ ତାଙ୍କର ସ୍କୋର ହେଉଛି ୧୦୪, ୭୪, ୨୭*, ୧୨୧, ୧୯, ୫୮ ଏବଂ ୬୭* |

Comments are closed.