ଏସୀୟ କ୍ରୀଡାରେ ବ୍ରୋଞ୍ଜ ବିଜୟୀ ଭାରତୀୟ ମହିଳା ଦଳ ପାଇଁ ଅର୍ଥ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଏସୀୟ କ୍ରୀଡା ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥ ପୁରସ୍କାର ଘୋଷଣା କରିଛନ୍ତି। ଦଳର ପ୍ରତ୍ୟେକ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ ଯେ, ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ମ୍ୟାଚରେ ଜାପାନକୁ ୨-୧ ଗୋଲରେ ପରାସ୍ତ କରିଥିଲା । ଦଳର ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜୟ ପାଇଁ ସମଗ୍ର ଦଳକୁ ସେ ଶ୍ରେୟ ଦେବାସହ ଅଭିନନ୍ଦନ ଜଣାଇଛନ୍ତି। ଭବିଷ୍ୟତରେ ଭାରତୀୟ ହକି ଦଳ ଆହୁରି ସଫଳତା ପାଇବ ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ଅଛନ୍ତି। ନବୀନ ସରକାରଙ୍କ ପୃଷ୍ଠାପୋଷକତାରେ ଭାରତୀୟ ହକି ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସୁଛି । ଗତକାଲି ଭାରତୀୟ ପୁରୁଷ ଦଳ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ବିଜୟୀ ଭାରତୀୟ ଦଳର ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କଲ୍ ଜରିଆରେ କଥା ହୋଇଥିଲେ । ଏଥିସହ ଦଳର ପ୍ରତ୍ୟେକ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।

Comments are closed.