ବାହାନଗା ଟ୍ରେନ ଦୁର୍ଘଟଣା : ଚିହ୍ନଟ ହୋଇପାରିନଥିବା ସମସ୍ତ ୨୮ଟି ମୃତଦେହ ବିଏମସିକୁ ହସ୍ତାନ୍ତର କଲା ଭୁବନେଶ୍ୱର ଏମସ

ଭୁବନେଶ୍ୱର – ବାହାନଗା ଟ୍ରେନ ଦୁର୍ଘଟଣାରେ ଯେଉଁ ୨୮ ଜଣ ମୃତକଙ୍କ ମୃତଦେହ ଚିହ୍ନଟ ହୋଇ ପାରିନଥିବାରୁ ଭୁବନେଶ୍ୱର ଏମସରେ ରଖାଯାଇଥିଲା, ସେସବୁ ଭୁବନେଶ୍ୱର ମହାନଗର ନିଗମ – ବିଏମସିକୁ ହସ୍ତାନ୍ତର କରାଯାଇଛି। ଏହି ପ୍ରକ୍ରିୟାକୁ ଶେଷ ହୋଇଛି। ବର୍ତ୍ତମାନ ଭୁବନେଶ୍ୱର ଏମସରେ ଆଉ କୋୖଣସି ମୃତଦେହ ନାହିଁ।

ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ଏମସକୁ ୧୬୨ଟି ମୃତଦେହ ଚିହ୍ନଟ ପାଇଁ ଆସିଥିଲା । ପ୍ରଥମ ପର୍ଯ୍ୟାୟରେ ୮୧ଟି ମୃତଦେହ ଚିହ୍ନଟ ହୋଇ ପରିବାର ଓ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏକାଧିକ ଦାବିଦାର ଓ ଅନ୍ୟାନ୍ୟ କାରଣରୁ ମୃତଦେହଗୁଡିକର ଡିଏନଏ ନମୁନା ନୂଆଦିଲ୍ଲୀ ପଠାଯାଇଥିଲା। ଦାବିଦାରମାନଙ୍କ ଡିଏନଏ ନମୁନା ମଧ୍ୟ ଦିଲ୍ଲୀ ପଠାଯାଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟ ହସ୍ତାନ୍ତର ପ୍ରକ୍ରିୟାରେ ୨୮ଟି ଚିହ୍ନଟ ହୋଇନଥିବା ମୃତଦେହ ଭୁବନେଶ୍ୱର ଏମସକୁ ସଂରକ୍ଷଣ ପାଇଁ ଆସିଥିଲା । ଭୁବନେଶ୍ୱର ଏମସକୁ ମୋଟ ୧୬୨ଟି ଚିହ୍ନଟ ହୋଇପାରିନଥିବା ମୃତଦେହ ଆସିଥିଲା।

ଭୁବନେଶ୍ୱର ଏମସର ତଥ୍ୟ ଅନୁସାରେ ଜୁଲାଇ ୪ ତାରିଖ ରାତିରେ ୧୨୩ଟି ମୃତଦେହ ଆସିଥିଲା। କ୍ୟାପିଟାଲ ଓ ଘରୋଇ ହସ୍ପିଟାଲରୁ ଆହୁରି ୩୯ଟି ମୃତଦେହ ସଂରକ୍ଷଣ ପାଇଁ ଏମ୍ସ ଆସିଥିଲା । ଏମସରେ ୧୨୩ଟି ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା । ଡିଏନଏ ନମୁନା ମେଳ ହେବା ପରେ ୫୩ଟି ମୃତଦେହ ହସ୍ତାନ୍ତର କରାଯାଇଥିଲା। ୧୬୨ଟି ମୃତଦେହ ମଧ୍ୟରୁ ୮୧ଟି ସମ୍ପର୍କୀୟମାନଙ୍କ ଦ୍ୱାରା ଚିହ୍ନଟ ହୋଇଥିଲା । ୫୩ଟି ମୃତଦେହ ଡିଏନଏ ପ୍ରୋଫାଇଲିଂ ଦ୍ୱାରା ଚିହ୍ନଟ ହୋଇଥିଲା। ଆଉ କେବଳ ୨୮ଟି ମୃତଦେହ ହିଁ ଚିହ୍ନଟ ନ ହୋଇ ଏମସରେ ଥିଲା । ଅକ୍ଟୋବର ୧୦ ତାରିଖରେ ଏହି ୨୮ଟି ମୃତଦେହ ଅନ୍ତିମ ସଂସ୍କାର ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ହସ୍ତାନ୍ତର କରାଯାଇଛି ।

Comments are closed.