ନ୍ୟୁଜକ୍ଲିକ୍ ମାମଲା: ଆତଙ୍କବାଦ ଦଫା ବିରୋଧରେ ପୁରକାୟସ୍ଥଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ 

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନ୍ୟୁଜକ୍ଲିକ୍  ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥ ଓ ଏଚ୍ଆର୍ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କ ଆବେଦନ ଖାରଜ କରିଛନ୍ତି।

ଆତଙ୍କବାଦ ନିରୋଧୀ ଆଇନ ୟୁଏପିଏ ଅଧୀନରେ ଗିରଫଦାରୀକୁ ଉଭୟ ଚ୍ୟାଲେଞ୍ଜ କରିଥିଲେ। ଏହାଛଡ଼ା ପୋଲିସ ରିମାଣ୍ଡକୁ ମଧ୍ୟ ସେମାନେ ବିରୋଧ କରିଥିଲେ ।

ପୁରକାୟସ୍ଥ ଓ ଚକ୍ରବର୍ତ୍ତୀଙ୍କ ଆବେଦନର ଉପରେ ଜଷ୍ଟିସ୍ ତୁଷାର ରାଓ ଗେଡେଲା ଅକ୍ଟୋବର ୯ରେ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ । ଶୁକ୍ରବାର ସେ ଏହି ମାମଲାରେ ରାୟ ଶୁଣାଇବା ସହ ଉଭୟଙ୍କ ଆବେଦନ ଖାରଜ କରିଛନ୍ତି।

ଶୁଣାଣି ସମୟରେ ପୁରକାୟସ୍ଥ କହିଥିଲେ ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ । ସେ ଚୀନରୁ ଟଙ୍କାଟିଏ ବି ନେଇ ନାହାଁନ୍ତି ବୋଲି ଦାବି କରିଥିଲେ ।

ଅକ୍ଟୋବର ୩ରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ପୁରକାୟସ୍ଥ ଓ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ଉଭୟ ଏହି ଗିରଫଦାରୀ ଓ ୭ ଦିନିଆ ପୋଲିସ୍ ରିମାଣ୍ଡକୁ ଚ୍ୟାଲେଞ୍ଜ କରି ଗତ ସପ୍ତାହରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଅନ୍ତରୀଣ ଜାମିନ ପାଇଁ ମଧ୍ୟ ଉଭୟ ନିବେଦନ କରିଥିଲେ।

‘ନ୍ୟୁଜକ୍ଲିକ୍’ ବିରୋଧରେ ଚୀନ୍‌ର ଏଜେଣ୍ଡା ପ୍ରଚାର ପାଇଁ ବିଦେଶରୁ ଆର୍ଥିକ ସହାୟତା ନେଉଥିବା ଅଭିଯୋଗ ହୋଇଛି । ଏଫ୍ଆଇଆର୍ ଅନୁଯାୟୀ, ‘ଭାରତର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରିବା’ ତଥା ଦେଶ ପ୍ରତି ଅସନ୍ତୋଷ ସୃଷ୍ଟି କରିବା ପାଇଁ ଏହି ନ୍ୟୁଜ୍ ପୋର୍ଟାଲ ଚୀନ୍ ଠାରୁ ବିପୁଳ ପରିମାଣର ଅର୍ଥ ପାଇଥିଲା।

ସିବିଆଇ ମଧ୍ୟ  ନ୍ୟୁଜକ୍ଲିକ୍ ମାମଲାରେ କେସ୍ ରୁଜୁ କରି ବିଦେଶୀ ପାଣ୍ଠି ନିୟମ ଉଲ୍ଲଙ୍ଘନ ନେଇ ତଦନ୍ତ ଆରମ୍ଭ କରିଛି ।

Comments are closed.