ଅପରେସନ ଅଜୟ ଅଧୀନରେ ଇସ୍ରାଏଲରୁ ଫେରିଲେ ଆଉ ୨୩୫ ଭାରତୀୟ

ନୂଆଦିଲ୍ଲୀ: ‘ଅପରେସନ ଅଜୟ’ ଅଧୀନରେ ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଆଉ ୨୩୫ ଜଣ ଭାରତୀୟ ନାଗରିକଙ୍କୁ ନେଇ ଦ୍ବିତୀୟ ବିମାନ ଶନିବାର ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି । ଏପର୍ଯ୍ୟନ୍ତ ମୋଟ ୪୪୭ ଭାରତୀୟଙ୍କୁ ଇସ୍ରାଏଲରୁ ଫେରାଇ ଅଣାଯାଇଛି ।

କେନ୍ଦ୍ର ମନ୍ତ୍ରୀ ରାଜକୁମାର ରଂଜନ ବିମାନ ବନ୍ଦରରେ ଇସ୍ରାଏଲରୁ ଫେରିଥିବା ଲୋକଙ୍କୁ ସ୍ୱାଗତ କରିଥିଲେ । ଇସ୍ରାଏଲରୁ ଦ୍ୱିତୀୟ ବିମାନରେ ଫେରିଥିବା ଲୋକମାନେ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅପରେସନ ଅଜୟ ଅଧୀନରେ ଦ୍ୱିତୀୟ ବିମାନ ଶୁକ୍ରବାର ସ୍ଥାନୀୟ ସମୟ ରାତି ୧୧.୦୨ରେ ଇସ୍ରାଏଲରୁ ଉଡ଼ାଣ ଭରିଥିଲା | ଭାରତୀୟ ନାଗରିକ ମାନଙ୍କୁ ଇସ୍ରାଏଲରୁ ଉଦ୍ଧାର କରିବା ଅଭିଯାନ ଜାରି ରହିବ। ଇସ୍ରାଏଲରେ ପ୍ରାୟ ୧୮,୦୦୦ ଭାରତୀୟ ନାଗରିକ ଅଛନ୍ତି।

ଏହା ପୂର୍ବରୁ ଇସ୍ରାଏଲରୁ ପ୍ରଥମ ଚାର୍ଟର ବିମାନ ଗୁରୁବାର ବିଳମ୍ବିତ ରାତିରେ ବେନ ଗୁରିଅନ ବିମାନବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା କରି ଶୁକ୍ରବାର ସକାଳେ ଭାରତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲା। ପ୍ରଥମ ବିମାନରେ ୨୧୨ ଜଣ ଭାରତୀୟ ନାଗରିକ ଫେରିଥିଲେ ।

Comments are closed.