ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ, ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଉଛନ୍ତି ଟିଏମସି ସାଂସଦ ମହୁଆ ମଇତ୍ର

ନୂଆଦିଲ୍ଲୀ : ବିଜେପି ସାଂସଦ ନିଶିକାନ୍ତ ଦୁବେ ରବିବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମଇତ୍ରଙ୍କ ବିରୋଧରେ ବିସ୍ଫୋରକ ଅଭିଯୋଗ କରିଛନ୍ତି । ମଇତ୍ର ଲୋକସଭାରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ଓ ଉପହାର ନେଉଛନ୍ତି ବୋଲି ଦୁବେ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରିବାକୁ ଏକ କମିଟି ଗଠନ କରିବା ସହ ମଇତ୍ରଙ୍କୁ ଗୃହରୁ ତୁରନ୍ତ ନିଲମ୍ବନ କରିବାକୁ ଦାବି କରିଛନ୍ତି ଦୁବେ ।

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠିରେ ଦୁବେ ଅଭିଯୋଗ କରିଛନ୍ତି ଯେ ପ୍ରଶ୍ନ ପଚାରିବା ପାଇଁ ଟିଏମସି ସାଂସଦ ମହୁଆ ମଇତ୍ର‌ ଜଣାଶୁଣା ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଲାଞ୍ଚ ରୂପେ ନଗଦ ଟଙ୍କା ଏବଂ ଉପହାର ନେଇଥିଲେ।

ଅନ୍ୟପକ୍ଷରେ ବିଜେପି ସାଂସଦଙ୍କ ଅଭିଯୋଗର ଜବାବ ରଖିଛନ୍ତି ମହୁଆ ମଇତ୍ର । ଏହି ଟିଏମସି ସାଂସଦ କହିଛନ୍ତି ଯେ ଆଦାନୀଙ୍କ ଅଫଶୋର ମନି ଟ୍ରେଲ, ଓଭର ଇନଭଏସିଂ, ବେନାମୀ ଆକାଉଣ୍ଟର ଯାଞ୍ଚ ଶେଷ ହେବା ପରେ ସିବିଆଇ ତଦନ୍ତ ସ୍ୱାଗତଯୋଗ୍ୟ। ଏହାଛଡ଼ା ସେ କହିଛନ୍ତି, ପ୍ରଥମେ ଶାସକ ଦଳର ସାଂସଦମାନଙ୍କ ବିରୋଧରେ ରହିଥିବା ସ୍ବାଧୀକାର ଭଙ୍ଗ ଅଭିଯୋଗ ଗୁଡ଼ିକର ତଦନ୍ତ ସରୁ ।‌ ତା’ପରେ ତାଙ୍କ ବିରୋଧରେ ଅଭିଯୋଗର ତଦନ୍ତ ପାଇଁ ସେ ପ୍ରସ୍ତୁତ ‌।

ଜଣେ ଓକିଲଙ୍କ ରିସର୍ଚ୍ଚ ଆଧାରରେ ନିଶିକାନ୍ତ ଦୁବେ କହିଛନ୍ତି ଯେ ମହୁଆ ମଇତ୍ର‌ ପଚାରିଥିବା ୬୧ଟି ପ୍ରଶ୍ନ ମଧ୍ୟରୁ ୫୦ଟି ପ୍ରଶ୍ନରେ ସେ ଆଶ୍ଚର୍ଯ୍ୟଜନକ ଭାବେ ଦର୍ଶନ ହୀରାନନ୍ଦାନୀ ଏବଂ ତାଙ୍କ କମ୍ପାନୀର ବ୍ୟବସାୟିକ ସ୍ୱାର୍ଥ ଉଦ୍ଦେଶ୍ୟରେ ସୂଚନା ଲୋଡିଥିଲେ । ତାଙ୍କର କିଛି ପ୍ରଶ୍ନ ଆଦାନୀ ଗ୍ରୁପ୍ ଉପରେ ମଧ୍ୟ କେନ୍ଦ୍ରିତ ଥିଲା । କାରଣ ଆଦାନୀ ଗ୍ରୁପ୍ ହିରାନନ୍ଦାନୀ ଗ୍ରୁପର ବ୍ୟାବସାୟିକ ପ୍ରତିଦ୍ବନ୍ଦ୍ବୀ।

Comments are closed.