ନବୀନ ପଟ୍ଟନାୟକ: ଓଡ଼ିଶା ପ୍ରଗତିର ଅସାଧାରଣ ବିନ୍ଧାଣି

ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ସବୁଆଡୁ ଆସିବାରେ ଲାଗିଛି ଜନ୍ମଦିନ ଶୁଭେଚ୍ଛାର ସୁଅ । କିନ୍ତୁ ନବୀନ ପାଳିବେ ନାହିଁ ଜନ୍ମଦିନ । ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ଏଥର ଜନ୍ମଦିନ ପାଳିବେ ନାହିଁ ବିଜେଡି ସୁପ୍ରିମୋ। ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରିଛନ୍ତି ନବୀନ ।

ଓଡ଼ିଶାକୁ ନିରବଚ୍ଛିନ୍ନ ପ୍ରଗତି ପଥରେ ଆଗେଇ ନେବାକୁ ସର୍ବଦା ସଙ୍କଳ୍ପବଦ୍ଧ ନବୀନ ପଟ୍ଟନାୟକଙ୍କ ରାଜନୀତିରେ ପ୍ରବେଶ ଥିଲା ଆକସ୍ମିକ। ସେଥିପାଇଁ ତ ପ୍ରତ୍ୟକ୍ଷ ରାଜନୀତିରେ ନବୀନଙ୍କ ସ୍ଥାୟୀତ୍ୱ ନେଇ ପ୍ରକାଶ ପାଇଥିଲା ଅନେକ କଳ୍ପନାଜଳ୍ପନା। ଅନେକ ପ୍ରଶ୍ନ । କିନ୍ତୁ ସେସବୁ ଏବେ ଅତୀତ । ଇତିମଧ୍ୟରେ ଏହି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରାଜନୀତିରେ ୨୬ ବର୍ଷ ପୂରଣ କରିସାରିଛନ୍ତି। ଏହି ଅପରାଜେୟ ରାଜନୈତିକ ଜୀବନରେ ଲୋକପ୍ରିୟତାର ଶୀର୍ଷରେ ରହିଆସିଛନ୍ତି ନବୀନ ପଟ୍ଟନାୟକ। ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ଓଡ଼ିଶାକୁ ଏକ ଆଧୁନିକ, ସମୃଦ୍ଧ ଓ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି ନବୀନ। ଆଜି ଦେଶ କହୁଛି ବିକାଶର ‘ନବୀନ’ ମଡେଲ କଥା ।

ମହିଳା ସଶକ୍ତିକରଣ ହେଉ ବା ବିପର୍ଯ୍ୟୟ ପରିଚାଳନା ବା କ୍ରୀଡା ପୃଷ୍ଠପୋଷକତା- ସବୁଥିରେ ଜଣେ ପ୍ରଗତିଶୀଳ ଓ ଜାତୀୟତାବାଦୀ ନେତା ଭାବେ ନବୀନଙ୍କ ଅବଦାନ ସ୍ୱୀକୃତ ଓ ପ୍ରଶଂସିତ । ଦେଶର ରାଜନୀତିରେ ନବୀନ ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଦୀର୍ଘ ଅବଧି କ୍ଷମତାସୀନ ଜୀବିତ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ପଟ୍ଟନାୟକ ହେଉଛନ୍ତି ବର୍ତ୍ତମାନ ଦେଶର ଏକତା ନେତା ।

ଏହା ହିଁ ତ ଜଣେ ନେତାଙ୍କ ସଫଳତା ଓ ଲୋକପ୍ରିୟତାର ବଳିଷ୍ଠ ପ୍ରମାଣ । ଜାତୀୟ ଗଣମାଧ୍ୟମରେ ଆକଳନ ଅନୁସାରେ ନବୀନ ପଟ୍ଟନାୟକ ଆଜି ବି ରାଜ୍ୟର ଲୋକପ୍ରିୟ ନେତା । ଜନ କଲ୍ୟାଣକାରୀ ମୁଖ୍ୟମନ୍ତ୍ରୀ ଭାବେ ନବୀନ ରାଜ୍ୟବାସୀଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି। ନିର୍ମଳ ଭାବମୂର୍ତ୍ତି, ସାଧାରଣ ଜୀବନଶୈଳୀ ଓ କର୍ମ ପ୍ରବଣତା ଯୋଗୁଁ ନବୀନ ପଟ୍ଟନାୟକ ଲୋକଙ୍କ ହୃଦୟର ସମ୍ରାଟ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି । ୨୬ ବର୍ଷ ଧରି ନବୀନଙ୍କ ଉପରେ ରହିଆସିଛି ରାଜ୍ୟବାସୀଙ୍କ ସ୍ନେହ, ଶ୍ରଦ୍ଧା, ବିଶ୍ୱ।ସ ଓ ଆଶୀର୍ବାଦ । ଓଡ଼ିଶା ପ୍ରଗତିର ଅସାଧାରଣ ସୁଦକ୍ଷ ବିନ୍ଧାଣି ସାଜିଛନ୍ତି ନବୀନ ।

Comments are closed.