ଇସ୍ରାଏଲକୁ ବାଇଡେନଙ୍କ ଚେତାବନୀ, କହିଲେ ଗାଜା କବଜା କରିବା ବଡ଼ ଭୁଲ୍ ହେବ

ୱାଶିଂଟନ: ହାମାସ୍ ସହ ମୁହାଁମୁହିଁ ଲଢ଼େଇ ପାଇଁ ଇସ୍ରାଏଲର ସେନା‌ ଗାଜା ଭିତରେ ପଶିବାକୁ ପ୍ରସ୍ତୁତ ହେଉଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି । ଇସ୍ରାଏଲ ଗାଜା କବଜା କରିବା ବଡ଼ ଭୁଲ୍ ହେବ ବୋଲି କହିଛନ୍ତି ବାଇଡେନ୍।

ସିବିଏସ୍ ସହ ଏକ ସାକ୍ଷାତକାରରେ ଇସ୍ରାଏଲର ଗାଜା ଦଖଲକୁ ସେ ସମର୍ଥନ କରିବେ କି ବୋଲି ଯେତେବେଳେ ବାଇଡେନଙ୍କୁ ପଚରାଯାଇଥିଲା ଆମେରିକା ରାଷ୍ଟ୍ରପତି କହିଥିଲେ ଏହା ଏକ ବଡ଼ ଭୁଲ୍ ହେବ।

ବାଇଡେନ୍ କହିଛନ୍ତି, “ହାମାସ୍ ଏବଂ ଏହାର ଆତଙ୍କବାଦୀମାନେ ପାଲେଷ୍ଟାଇନର ସବୁ ଲୋକଙ୍କ ପ୍ରତିନିଧିତ୍ୱ କରନ୍ତି ନାହିଁ । ମୁଁ ଭାବୁଛି ଗାଜାକୁ ପୁଣି କବଜା କରିବା ଇସ୍ରାଏଲ ପାଇଁ ଭୁଲ୍ ହେବ। ,

ରବିବାର ରାତିରେ ପ୍ରସାରିତ ଏହି ସାକ୍ଷାତକାରରେ ସେ କହିଛନ୍ତି ଯେ, ତଥାପି ଗାଜା ଭିତରକୁ ଯାଇ ଆତଙ୍କବାଦୀଙ୍କୁ ବାହାର କରିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଗାଜା ଆକ୍ରମଣ ବେଳେ ଇସ୍ରାଏଲ୍ ଯୁଦ୍ଧର ନିୟମ ଉଲ୍ଲଙ୍ଘନ ନ‌ କରୁ ବୋଲି ବାଇଡେନ୍ କହିଛନ୍ତି ।

ହାମାସ୍ ଆକ୍ରମଣରୁ ନିଜକୁ ରକ୍ଷା କରିବା ଇସ୍ରାଏଲର ଅଧିକାର ଏବଂ କର୍ତ୍ତବ୍ୟ ବୋଲି ବାଇଡେନ୍ ପୂର୍ବରୁ କହି ଆସିଛନ୍ତି । ଗତ ସପ୍ତାହରେ ଇସ୍ରାଏଲ ଉପରେ ହାମାସ ଆକ୍ରମଣକୁ ସେ ନିନ୍ଦା କରିଥିଲେ।

ଗତ ସପ୍ତାହରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ମଧ୍ୟ ତେଲ ଅଭିଭରେ ପହଞ୍ଚି ଇସ୍ରାଏଲକୁ ସମର୍ଥନ ଜଣାଇଥିଲେ ।

ସେପଟେ ଇସ୍ରାଏଲ ୧୧ ଲକ୍ଷ ପାଲେଷ୍ଟାଇନ ଲୋକଙ୍କୁ ଉତ୍ତର ଗାଜା ଛାଡ଼ି ଦକ୍ଷିଣ ଗାଜାକୁ ଯିବାକୁ ନିର୍ଦ୍ଦେଶ ଦେଇଛି । ହାମାସକୁ ମୂଳପୋଛ କରିବା ପାଇଁ ପଣ କରିଥିବା ଇସ୍ରାଏଲ ସେନା ଗାଜାରେ ଯେକୌଣସି ସମୟରେ ପ୍ରବେଶ କରିପାରେ ବୋଲି ଅନୁମାନ କରାଯାଉଛି।

Comments are closed.