ଗଗନଯାନ ମିଶନ ଯାନର ପରୀକ୍ଷଣ ସଫଳ

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶନିବାର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଗଗନଯାନ ମିଶନ ଯାନର ସଫଳ ପରୀକ୍ଷଣ କରିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରଥମେ ଏହାକୁ ସ୍ଥଗିତ ରଖାଯାଇଥିଲା । ପରେ ଦ୍ବିତୀୟ ଉଦ୍ୟମରେ ପୂର୍ବାହ୍ନ ୧୦ଟାରେ ଦ୍ବିତୀୟ ଉଦ୍ୟମରେ ଟେଷ୍ଟ ଭେଇକଲ୍ ଆବର୍ଟ ମିଶନ୍-୧ (ଟିଭି- ଡି୧)ର ସଫଳ ପରୀକ୍ଷଣ ହୋଇଛି | ଏହା ଏକ ମାନବ ରହିତ ଯାନ ଥିଲା । ଗଗନଯାନ ମିଶନ ସମୟରେ ରକେଟରେ କୌଣସି ତ୍ରୁଟି ରହିଲେ ମହାକାଶଚାରୀଙ୍କୁ ସୁରକ୍ଷିତ ଭାବରେ ପୃଥିବୀ ପୃଷ୍ଠକୁ କିପରି ସୁରକ୍ଷିତ ଅଣାଯାଇ ପାରିବ ତାହା ଏହି ପରୀକ୍ଷଣର ଲକ୍ଷ୍ୟ ଥିଲା ।

ଏହି ପରୀକ୍ଷଣ ପ୍ରାୟ ୮ ମିନିଟର ଥିଲା | ଏହି ମିଶନ ଯାନ‌ ପରୀକ୍ଷଣ ସମୟରେ ୧୭ କିଲୋମିଟର ଉପରକୁ ଯିବା ପରେ କ୍ରୁ ମଡ୍ୟୁଲ୍ ଶ୍ରୀହାରିକୋଟା ଠାରୁ ୧୦ କିଲୋମିଟର ଦୂରରେ ଥିବା ବଙ୍ଗୋପସାଗରରେ ସଫଳତାର ସହ ଅବତରଣ କରିଥିଲା |

ଏହାପୂର୍ବରୁ ଆଜି ମିଶନକୁ ଦୁଇଥର ସ୍ଥଗିତ ରଖାଯାଇଥିଲା। ଏହା ପ୍ରଥମେ ୮ଟା ସମୟରେ ଲଞ୍ଚ କରାଯିବାର ଥିଲା । କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ଏହାକୁ ୮.୪୫ରେ ପୁନଃ ନିର୍ଦ୍ଧାରିତ କରାଯାଇଥିଲା | ଉତକ୍ଷେପଣର ୫ ସେକେଣ୍ଡ ପୂର୍ବରୁ ଇଞ୍ଜିନରେ ସାମାନ୍ୟ ତ୍ରୁଟି ଯୋଗୁଁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା | ଏହାର କିଛି ସମୟ ପରେ ସମସ୍ୟାର ସମାଧାନ ହେବା ସହ ଉତକ୍ଷେପଣ ପୂର୍ବାହ୍ନ ୧୦ଟାରେ କରାଯିବ ବୋଲିି ଇସ୍ରୋ ସୂଚନା ଦେଇଥିଲା ।

ଗଗନଯାନ ମହାକାଶଯାନ ପରୀକ୍ଷଣ ମିଶନର ଉଦ୍ଦେଶ୍ୟ ହେଉଛି ଏହି ମିଶନ ଅଧୀନରେ ଭାରତୀୟ ମହାକାଶଚାରୀମାନଙ୍କୁ ପୃଥିବୀ ପୃଷ୍ଠକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ କ୍ରୁ ମଡ୍ୟୁଲ୍ ଏବଂ କ୍ରୁ ଉଦ୍ଧାର ପ୍ରଣାଳୀର ସୁରକ୍ଷା ମାନଦଣ୍ଡ ଗୁଡ଼ିକର ଅଧ୍ୟୟନ କରିବା | ଗଗନଯାନ ମିଶନ ଅଧୀନରେ ୨୦୨୫ ସୁଦ୍ଧା ଭାରତ ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ।

Comments are closed.