ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅଙ୍କୁ ଇଡି ସମନ

ଜୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବେଶ୍ ସକ୍ରିୟ ହୋଇପଡ଼ିଛି‌। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅ ବୈଭବ ଗେହଲୋଟଙ୍କୁ ସମନ ଜାରି କରିଛି ଇଡି। ବିଦେଶୀ ମୁଦ୍ରା ବିନିମୟ ଆଇନ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ଏହି ସମନ ପଠାଯାଇଛି। ଏହାଛଡ଼ା ଇଡ଼ି ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ଡୋଟାସରାଙ୍କ ଘରେ ବି ଚଢ଼ାଉ କରିଛି।

ମୁଖ୍ୟମନ୍ତ୍ରୀ ଗେହଲୋଟ୍ ‘ଏକ୍ସ’ରେ ଏକ ପୋଷ୍ଟରେ ତାଙ୍କ ପୁଅଙ୍କୁ ଇଡି ସମନ ପଠାଇଥିବା ସୂଚନା ଦେଇଛନ୍ତି। ଏଥିସହ ସେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, ମୁଁ ପୂର୍ବରୁ ହିଁ କହି ଆସୁଥିଲି ରାଜସ୍ଥାନରେ କାହିଁକି ଇଡି ନିୟମିତ ଚଢ଼ାଉ କରୁଛି । ରାଜସ୍ଥାନର ମହିଳା, ଚାଷୀ ଏବଂ ଗରିବ ଲୋକ କଂଗ୍ରେସ ଦେଇଥିବା ଗ୍ୟାରେଣ୍ଟିର ଲାଭ ପାଆନ୍ତୁ ବୋଲି ବିଜେପି ଚାହୁଁ ନାହିଁ।”

ଅନ୍ୟପକ୍ଷରେ ଗୁରୁବାର ସକାଳେ ଇଡି ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ଦୋଟାସରାଙ୍କ ଘରେ ବି ଚଢ଼ାଉ କରିଥିଲା। ପ୍ରଶ୍ନପତ୍ର ଲିକ୍ ମାମଲାରେ ଡୋଟାସରାଙ୍କ ବିରୋଧରେ ଏହି ଚଢ଼ଉ ହୋଇଛି ।

ଉଲ୍ଲେଖଯୋଗ୍ୟ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ୨୫ ନଭେମ୍ବର ୨୦୨୩ରେ ଭୋଟ୍ ଗ୍ରହଣ ହେବ।

ରାଜ୍ୟର ଲକ୍ଷ୍ମଣନଗର ବିଧାନସଭା ଆସନରୁ ଗୋବିନ୍ଦ ଡୋଟାସରାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ସେ ବିଜେପିର ସୁଭାଷ ମହାରାଜାଙ୍କ ବିରୋଧରେ ଲଢ଼ିବେ।

ଇଡି ଡୋଟାସରାଙ୍କ ସିକର ଏବଂ ଜୟପୁର ସ୍ଥିତ ବାସଭବନ ସହ ଅନ୍ୟ କିଛି ଲୋକଙ୍କ ଠିକଣାରେ ମଧ୍ୟ ତଲାସି କରିଛି। ମହୁଆ ବିଧାନସଭା ଆସନରୁ ଦଳର ପ୍ରାର୍ଥୀ ଓମପ୍ରକାଶ ହୁଡଲାଙ୍କ ଘରେ ବି ଚଢ଼ାଉ ହୋଇଛି ।

Comments are closed.