ନିର୍ବାଚନ ପ୍ରଚାର ବେଳେ ବିଆରଏସ୍ ସାଂସଦ ପ୍ରଭାକର ରେଡ୍ଡୀଙ୍କୁ ଛୁରାମାଡ଼

ହାଇଦ୍ରାବାଦ: ସୋମବାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) ସାଂସଦ କୋଟା ପ୍ରଭାକର ରେଡ୍ଡୀଙ୍କୁ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ କରିଛି।

ଦଳ ଦୁବକ୍ ବିଧାନସଭା ଆସନରୁ ରେଡ୍ଡୀଙ୍କୁ ଟିକେଟ୍ ଦେଇଛି। ପୋଲିସର ସୂଚନାନୁସାରେ, ସିଦ୍ଧଦୀପ ଜିଲ୍ଲାରେ ପ୍ରଚାର କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

ମେଡାକ୍ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଥିବା କୋଟା ପ୍ରଭାକର ରେଡ୍ଡୀଙ୍କ ପେଟରେ ଆଘାତ ଲାଗିଛି । ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।

ପୋଲିସ କହିଛି ଯେ ପ୍ରଭାକର ରେଡ୍ଡୀ ଦୌଲତାବାଦ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୩୦ରେ ତେଲେଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ଛୁରାମାଡ଼ ପରେ ପ୍ରଭାକର ରେଡ୍ଡୀ ରକ୍ତସ୍ରାବକୁ ବନ୍ଦ କରିବା ପାଇଁ ତାଙ୍କ ପେଟକୁ ଦବାଇ ବସିଥିବା କିଛି ଟିଭି ଫୁଟେଜରେ ଦେଖିବାକୁ ମିଳିଛି । ସାଂସଦଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକ କାବୁକରି ମାଡ଼ ମାରିଥିଲେ।

ସିଦ୍ଧଦୀପ ପୋଲିସ କମିଶନର ଏନ ଶ୍ବେତା କହିଛନ୍ତି, “ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ଆମେ ତାଙ୍କ ପୃଷ୍ଠଭୂମି ଯାଞ୍ଚ୍ କରୁଛୁ।”

Comments are closed.