ଆପଲରୁ ହ୍ୟାକିଂ ମେସେଜ୍ ନେଇ ବିରୋଧୀ ସାଂସଦଙ୍କ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ: ସମ୍ଭାବ୍ୟ ହ୍ୟାକିଂ ନେଇ ଆଇଫୋନ୍ ୟୁଜରଙ୍କୁ ମିଳିଥିବା ଆଲର୍ଟ ମେସେଜ୍ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏ ବାବଦରେ ସରକାରୀ ତଦନ୍ତରେ ସହଯୋଗ କରିବାକୁ ସେ ଆପଲକୁ କହିଛନ୍ତି। ସେ ଏହି ପ୍ରସଙ୍ଗରେ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ଗୋଟିଏ ପରେ ଗୋଟିଏ ମୋଟ ପାଞ୍ଚଟି ପୋଷ୍ଟ କରିଛନ୍ତି।

ପ୍ରଥମ ପୋଷ୍ଟରେ ସେ ଲେଖିଛନ୍ତି, “ଆପଲରୁ ମିଳିଥିବା ନୋଟିଫିକେସନ୍ ସମ୍ପର୍କରେ ମିଡିଆରେ କିଛି ସାଂସଦ ଏବଂ ଅନ୍ୟ ଲୋକଙ୍କ ବୟାନ ଦେଖି ଆମେ ଚିନ୍ତିତ। ମିଡିଆ ରିପୋର୍ଟ ଅନୁଯାୟୀ, ସେହି ଲୋକମାନଙ୍କୁ ମିଳିଥିବା ନୋଟିଫିକେସନରେ ‘ସରକାରୀ ପ୍ରାୟୋଜିତ ଆକ୍ରମଣ’ ବୋଲି ଉଲ୍ଲେଖ କରାଯାଇଛି। ”

ସେ କହିଛନ୍ତି, “ଅବଶ୍ୟ ଏହି ପ୍ରସଙ୍ଗରେ ଆପଲ୍ ଦେଇଥିବା ସ୍ପଷ୍ଟୀକରଣ ପ୍ରାୟତଃ ଅସ୍ପଷ୍ଟ ଏବଂ ସାଧାରଣ ମନେ ହେଉଛି। ଆପଲ୍ କହିଛି ଯେ ଏହି ନୋଟିଫିକେସନ୍ ‘ଅସ୍ପଷ୍ଟ କିମ୍ବା ଅସମ୍ପୂର୍ଣ୍ଣ’ ସୂଚନା ଉପରେ ଆଧାରିତ ହୋଇପାରେ।

“ଆପଲ୍ ମଧ୍ୟ ଦାବି କରିଛି ଯେ ଆପଲ୍ ଆଇଡି ସୁରକ୍ଷିତ ଭାବେ ଏନକ୍ରିପ୍ଟ ହୋଇଛି, ଯାହା ୟୁଜରଙ୍କ ବିନା ଅନୁମତିରେ ଫୋନ୍ ପର୍ଯ୍ୟନ୍ତ ପହଞ୍ଚିବା କିମ୍ବା ତାହାକୁ ଚିହ୍ନଟ କରିବା କଷ୍ଟସାଧ୍ୟ ଅଟେ। ଏହି ଏନକ୍ରିପସନ୍ ୟୁଜରଙ୍କ ଆପଲ୍ ଆଇଡିକୁ ସୁରକ୍ଷିତ ରଖିଥାଏ।

ବୈଷ୍ଣବ କହିଛନ୍ତି ଯେ ଭାରତ ସରକାର ସମସ୍ତ ନାଗରିକଙ୍କ ଗୋପନୀୟତା ଏବଂ ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବା ନେଇ ନିଜ ଭୂମିକା ସଠିକ୍ ନିର୍ବାହ କରୁଛନ୍ତି। ଆମେ ଆପଲ୍ ନୋଟିଫିକେସନ୍ ମାମଲାର ମୂଳକୁ ଯିବୁ।

ଏହି ମାମଲାରେ ମିଳିଥିବା ସୂଚନା ଏବଂ କଳ୍ପନାଜଳ୍ପନାକୁ ଦୃଷ୍ଟିରେ ରଖି ଆମେ ଆପଲକୁ ମଧ୍ୟ ଏହି ସରକାରୀ ‘ପ୍ରାୟୋଜିତ ଆକ୍ରମଣ’ର ତଦନ୍ତରେ ସହଯୋଗ କରିବାକୁ କହିଛୁ ବୋଲି ବୈଷ୍ଣବ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ମହୁଆ ମଇତ୍ର ଓ ଶଶି ଥରୁରଙ୍କ ସହ ଅନେକ ବିରୋଧୀ ନେତା ଦାବି କରିଥିଲେ ଯେ ସେମାନଙ୍କ ଆଇଫୋନ୍ ସରକାରୀ ସଂସ୍ଥା ଦ୍ୱାରା ଟାର୍ଗେଟ୍ କରାଯାଇପାରେ। ଏନେଇ ଆପଲ୍ ରୁ ଆଲର୍ଟ ନୋଟିଫିକେସନ୍ ମିଳିଥିବା ସେମାନେ କହିଥିଲେ ।

Comments are closed.