ରାଜସ୍ଥାନରେ ପୁଣି ଇଡି ଆକ୍ସନ, ଏହି ମାମଲାରେ ୨୫ଟି ସ୍ଥାନରେ ଚଢ଼ାଉ

ଜୟପୁର: ଜଳ ଜୀବନ ମିଶନ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରାଜସ୍ଥାନର ୨୫ଟି ସ୍ଥାନରେ ଚଢ଼ାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ ଇଡି ଟିମ୍ କିଛି ମନ୍ତ୍ରୀ ଓ ଆଇଏଏସ୍ ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଅନେକ ସ୍ଥାନରେ ରେଡ୍ ଜାରି ରଖିଛି। ଏହାଛଡ଼ା ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆଇଏଏସ୍ ସୁବୋଧ ଅଗ୍ରୱାଲ ଏବଂ ମନ୍ତ୍ରୀ ମହେଶ ଯୋଶୀଙ୍କ କାର୍ଯ୍ୟାଳୟରେ ମଧ୍ୟ ତଲାସି ଚାଲିଛି।

ରାଜ୍ୟରେ ଜଳ ଜୀବନ ମିଶନରେ ୨୦ ହଜାର କୋଟିର ଦୁର୍ନୀତି ହୋଇଛି ବୋଲି ସାଂସଦ କିରୋଡି ଲାଲ ମୀନା ଅଭିଯୋଗ କରିଥିଲେ। ନିୟମ ଉଲ୍ଲଙ୍ଘନ କରି ଗଣପତି ଟ୍ୟୁବୱେଲ କମ୍ପାନୀ ଏବଂ ଶାହପୁରା ଶ୍ରୀ ଶ୍ୟାମ ଟ୍ୟୁବୱେଲ କମ୍ପାନୀକୁ ଏହି ପ୍ରକଳ୍ପ କାର୍ଯ୍ୟର ଠିକା ଦିଆଯାଇଥିଲା । ଉଭୟ କମ୍ପାନୀ ମିଳିତ ଭାବେ ୧୦୦୦ କୋଟି ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି ।

ଗଣପତି କମ୍ପାନୀ ନକଲି ଦଲିଲ ଆଧାରରେ ଦୁଇ ବର୍ଷରେ ୯୦୦ କୋଟି ଟଙ୍କା ମୂଲ୍ୟର କାର୍ଯ୍ୟାଦେଶ ନେଇଥିଲା। ଏହି ଘୋଟାଲାରେ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଜଡିତ ଅଛନ୍ତି। ଏଥିରେ ବ୍ୟବହୃତ ପରିଚୟ ପତ୍ର ଏବଂ ସାର୍ଟିଫିକେଟ୍ ମଧ୍ୟ ନକଲି ବୋଲି ଅଭିଯୋଗ ହୋଇଛି । ଇଡି ପୂର୍ବରୁ ମଧ୍ୟ ଏହି ମାମଲାରେ ଚଢ଼ାଉ କରିଥିଲା।

ଉଲ୍ଲେଖଯୋଗ୍ୟ, ୨୦୦ ସଦସ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ନଭେମ୍ବର ୨୫ରେ ହେବ।

Comments are closed.