ଗଞ୍ଜାମ ଜିଲ୍ଲାର ୫୦ ପ୍ରାଥମିକ ସ୍କୁଲର ରୂପାନ୍ତରୀକରଣ ହେବ

ଛତ୍ରପୁର: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୫୦ ସରକାରୀ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରୀକରଣ ହେବ। ଏସବୁ ବିଦ୍ୟାଳୟରେ ନିର୍ମିତ ହେବ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଉନ୍ନତ ଶୌଚାଳୟ ଓ ଅନ୍ୟାନ୍ୟ ଭିତ୍ତିଭୂମି। ଉପଯୁକ୍ତ ଓ ଯଥେଷ୍ଟ ପାଠ୍ୟ ସାମଗ୍ରୀ ଉପଲବ୍ଧ କରାଯିବା ସହ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଜିଲ୍ଲା ପ୍ରଶାସନକୁ ଏ ଦିଗରେ ସହଯୋଗ କରିବ ଭାରତୀୟ ବିରଳ ମୃର୍ତ୍ତିକା (ଆଇଆରଇ) କମ୍ପାନୀ। ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଆଇଆରଇ କର୍ତ୍ତୃପକ୍ଷଙ୍କ ଏ ଦିଗରେ ବୁଝାମଣା ସ୍ବାକ୍ଷରିତ ହୋଇଛି। ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ଅଫିସ୍ ସଦଭାବନା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାସନ୍, ଆଇଆରଇ କମ୍ପାନୀ ଅଧିକାରୀ ସି.ଭି.ଆର୍.ମୂର୍ତ୍ତି ଉପସ୍ଥିତ ଥିଲେ। ଆଇଆରଇ କମ୍ପାନୀ ପକ୍ଷରୁ ସାମାଜିକ ଉତ୍ତରଦାୟିତ୍ୱ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଏ ଦିଗରେ ସହଯୋଗ କରାଯିବ। ଏହାଦ୍ୱାରା ସ୍କୁଲ ଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ହେବ ଯାହା ହଜାର ହଜାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସୁହାଇବ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସଂସ୍ଥାଙ୍କ ସହଯୋଗରେ ଅଧିକ ସଂଖ୍ୟକ ପ୍ରାଥମିକ ବିଦ୍ୟାଳୟର ବିକାଶ କରାଯିବ।

Comments are closed.