ଆଜି ୩ ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଉଦଘାଟନ

ବ୍ରହ୍ମପୁର: ସୋମବାର ଆଉ ୩ ଜିଲ୍ଲାରେ ଆରମ୍ଭ ହେବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ। ଏଥି ଅନ୍ତର୍ଗତ ମୋଟ ୨୭୧.୫୦ କୋଟି ଟଙ୍କା ବ୍ୟୟରେ ସମୁଦାୟ ୬୫୫୭ ଗୋଟି ପ୍ରକଳ୍ପ ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ୩ ଜିଲ୍ଲାର ବହୁ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରାଯିବ। ଭୁବନେଶ୍ୱରରୁ ଭର୍ଚୁଆଲ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସମେତ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଦ୍ବାରା ଏସବୁ ପ୍ରକଳ୍ପ ଆରମ୍ଭ କରାଯିବ।

କନ୍ଧମାଳ ଜିଲ୍ଲାରେ ୮୫.୫୦ କୋଟି ଟଙ୍କା ବ୍ୟୟରେ ୨୦୯୯ ଗୋଟି ପ୍ରକଳ୍ପ, ଗଜପତି ଜିଲ୍ଲାରେ ୭୪.୫୦ କୋଟି ଟଙ୍କା ବ୍ୟୟରେ ୧୬୬୨ ଗୋଟି ପ୍ରକଳ୍ପ ଆରମ୍ଭ କରାଯିବ। ସେହିପରି ଅନୁଗୋଳ ଜିଲ୍ଲାରେ ଉଦଘାଟିତ ହେବାକୁ ଥିବା ୨୭୯୬ ଗୋଟି ପ୍ରକଳ୍ପ ପାଇଁ ୧୧୨.୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ଫଳରେ ୩ ଜିଲ୍ଲାର ବାସିନ୍ଦା ବହୁ ଉନ୍ନୟନମୂଳକ ପ୍ରକଳ୍ପରୁ ଉପକୃତ ହେବେ। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ରାଜ୍ଯ ସରକାରଙ୍କ ଗ୍ରାମାଞ୍ଚଳର ସାମଗ୍ରିକ ଭିତ୍ତିଭୂମି ଉନ୍ନୟନ ସାଙ୍ଗକୁ ଐତିହ୍ଯ ଓ ସଂସ୍କୃତିର ପ୍ରଚାର ପ୍ରସାର ଦ୍ଵାରା ଓଡ଼ିଶାର ରୂପାନ୍ତରୀକରଣ ପାଇଁ ଆରମ୍ଭ କରିଥିବା ପ୍ରକ୍ରିୟାକୁ ନେଇ ସାଧାରଣରେ ଖୁବ ଆଗ୍ରହ ପ୍ରକାଶ ପାଇଛି। ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନା ମାଧ୍ୟମରେ ସବୁ ଗାଁରେ ବିକାଶ ତ୍ୱରାନ୍ୱିତ ହେବ। ଗାଁ ଗାଁରେ ମଠ, ମନ୍ଦିର, ରାସ୍ତାଘାଟ, ଖେଳ ପଡ଼ିଆ ଆଦିର ଉନ୍ନତି ଘଟିବ।

ଗଜପତି ଜିଲ୍ଲାର ରାୟଗଡ଼ ଓ କାଶୀନଗର ସମେତ ଅନ୍ୟ ବ୍ଲକରେ ଏଥିପାଇଁ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ରାୟଗଡ଼ ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନେଇ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏହି ବ୍ଲକର ୨୧ ଗୋଟି ପଞ୍ଚାୟତରେ ୧୮୭ ଗୋଟି ପ୍ରକଳ୍ପ ପାଇଁ ୧୦ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେହିପରି କାଶୀନଗର ବ୍ଲକରେ କାଶୀନଗର ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏହି ଅଞ୍ଚଳର ପ୍ରାୟ ୩ ହଜାର ଲୋକଙ୍କ ସମାଗମ ହେବ। ବିଡିଓଙ୍କ ତତ୍ତ୍ୱଧାନରେ ପ୍ରସ୍ତୁତି ଶେଷ ହୋଇଛି।

Comments are closed.