‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ଵର: ଅବଦୁଲ କଲାମ ଦ୍ୱୀପରୁ ମଙ୍ଗଳବାର ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କମ୍ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଏସ୍ଆରବିଏମ୍) ‘ପ୍ରଳୟ’ର ସଫଳ ପରୀକ୍ଷଣ କରିଛି। ଜଣେ ପ୍ରତିରକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି।

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରାଯାଇଛି |

ସକାଳ ପ୍ରାୟ ୯.୫୦ ସମୟରେ ପରୀକ୍ଷଣ ହୋଇଥିବା ଏହି କ୍ଷେପଣାସ୍ତ୍ର ଏହାର ସମସ୍ତ ମିଶନ ଲକ୍ଷ୍ୟ ପୂରଣ କରିଛି ବୋଲି ଅଧିକାରୀ କହିଛନ୍ତି।

ସେ କହିଛନ୍ତି ଯେ ସମୁଦ୍ର ଉପକୂଳରେ ଅନେକ ଉପକରଣ ମାଧ୍ୟମରେ ଏହାର ଗତିପଥ ଉପରେ ନଜର ରଖାଯାଇଥିଲା‌।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ‘ପ୍ରଳୟ’ କ୍ଷେପଣାସ୍ତ୍ର ୩୫୦ ରୁ ୫୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଏହା ୫୦୦ ରୁ ୧୦୦୦ କିଲୋଗ୍ରାମର ପେଲୋଡ୍ ବି ବହନ କରିବାରେ ସକ୍ଷମ।

ଡିଆରଡିଓ ଅଧିକାରୀ କହିଛନ୍ତି, ‘ପ୍ରଳୟ’କୁ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ଓ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ମୁତୟନ କରିବା ପାଇଁ ବିକଶିତ କରାଯାଇଛି।

Comments are closed.