ଗିରଫ ହେଲେ କୋଟିପତି କଲେଜ ଅଧ୍ୟକ୍ଷ

ଭୁବନେଶ୍ୱର – ଚଢ଼ାଉ କରି ବିପୁଳ ଆୟ ବର୍ହିଭୂତ ସମ୍ପତ୍ତି ଠାବ କଲା ପରେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍‌ପିଟାଲ୍‌ର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ପ୍ରଫେସର ବେହେରା ତାଙ୍କ ଆୟଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ କହିଛି।

ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଫେସର ସୁଦର୍ଶନ ବେହେରାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ବେଳେ ପ୍ରଫେସର ବେହେରାଙ୍କର ତିନିଟି ବହୁତଳ ବିଶିଷ୍ଟ କୋଠା ମିଳିଥିଲା ।ସେଥିରୁ ଗୋଟିଏ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବ୍ଳକ୍ ଛକ ନିକଟରେ ରହିଛି। ପାଖାପାଖି ୪୬୦୦ ବର୍ଗଫୁଟ ଅଞ୍ଚଳରେ ଏହି କୋଠାଟି ତିଆରି ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁରରେ ତାଙ୍କର ଏକ ଦୁଇ ମହଲା କୋଠା ରହିଛି। ପୁରୀ ଜିଲ୍ଲା ଗୋପର ସୋରିଷପଦାରେ ମଧ୍ୟ ତାଙ୍କର ଏକ କୋଠା ଠାବ କରାଯାଇଛି। ତିନିଟି ବହୁତଳ କୋଠା ସହିତ ପ୍ରଫେସର ସୁଦର୍ଶନ ବେହେରାଙ୍କ ୨୮ଟି ପ୍ଳଟ ଅଛି। ଭୁବନେଶ୍ୱର ସମେତ ପୁରୀ ଜିଲ୍ଲାର ଗୋପ, ପିପିଲି, ସତ୍ୟବାଦୀ ଅଞ୍ଚଳରେ ଏହି ପ୍ଲଟ୍ ଗୁଡ଼ିକ ରହିଛି। ଚଢ଼ାଉରେ ଭିଜିଲାନ୍ସ ୨୫୦ ଗ୍ରାମ ସୁନା ଅଳଙ୍କାର ମିଳିଛି। ପ୍ରଫେସର ସୁଦର୍ଶନ ବେହେରାଙ୍କର ୩ଟି ୪ ଚକିଆ ଗାଡ଼ି ଓ ଗୋଟିଏ ଦୁଇ ଚକିଆ ଗାଡ଼ି ରହିଛି। ଏସବୁର ଆନୁମାନିକ ମୂଲ୍ୟ ମିଶି ୩୨ ଲକ୍ଷ ଟଙ୍କାରୁ ଅଧିକ ହେବ।

Comments are closed.