‘ଇଣ୍ଡିଆ’ ମେଣ୍ଟରେ ଫାଟ ! ଜାତି ଜନଗଣନା ପ୍ରସଙ୍ଗରେ ରାହୁଲଙ୍କୁ ଅଖିଳେଶଙ୍କ‌ କଟାକ୍ଷ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ଏକାଠି ମିଶି ବିଜେପି ବିରୋଧରେ ଲଢ଼ିବାକୁ ସଂକଳ୍ପ କରିଥିବା “ଇଣ୍ଡିଆ’ ମେଣ୍ଟରେ ଏବେ ଫାଟ ଦେଖାଦେଲାଣି ‌। ଜାତି ଭିତ୍ତିକ ଜନଗଣନା ନେଇ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମତଭେଦ ପଦାରେ ପଡ଼ିଛି । ଏହି ପ୍ରସଙ୍ଗରେ ଉଭୟ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ‘ଇଣ୍ଡିଆ’ ମେଣ୍ଟ ଦଳମାନଙ୍କ ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଜାତି ଗଣନା ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ‘ଏକ୍ସ-ରେ’ ମନ୍ତବ୍ୟ ନେଇ ଏସପି ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସକୁ କଟାକ୍ଷ କରିଛନ୍ତି । ମଧ୍ୟପ୍ରଦେଶର କଟନୀରେ ଏକ ସଭାକୁ ସମ୍ବୋଧିତ କରି ଅଖିଳେଶ କହିଛନ୍ତି, ଯେତେବେଳେ ଏମଆରଆଇ ଏବଂ ସିଟି ସ୍କାନ୍ ପରି ନୂଆ ଟେକ୍ନୋଲୋଜି ଉପଲବ୍ଧ, ତେବେ ଏକ୍ସ-ରେ କାହିଁକି?

ଅଖିଳେଶ ଯାଦବ କହିଛନ୍ତି, ସବୁଠାରୁ ବଡ଼ ଚମତ୍କାର ହେଉଛି କଂଗ୍ରେସ ଜାତି ଜନଗଣନା କଥା କହୁଛି । କେନ୍ଦ୍ରରେ କ୍ଷମତାସୀନ ଥିବାବେଳେ କଂଗ୍ରେସ କାହିଁକି ଜାତି ଜନଗଣନା କରିନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁମାନେ ‘ଏକ୍ସ-ରେ’ ବିଷୟରେ କହୁଛନ୍ତି, ସେହି ଲୋକମାନେ ହିଁ ସ୍ୱାଧୀନତା ପରେ ଜାତି ଜନଗଣନା ବନ୍ଦ କରିଦେଇଥିଲେ ବୋଲି କହିଛନ୍ତି ଅଖିଳେଶ ।

ବିହାରରେ ଜାତି ସର୍ଭେ ଏ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇବା ପରେ, ସମଗ୍ର ଦେଶରେ ଜାତି ଜନଗଣନା କରାଯାଉ ବୋଲି କିଛି ଦଳ ଦାବି କରୁଛନ୍ତି।

ଏହାପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ସତନାରେ ଏକ ନିର୍ବାଚନ ରାଲିରେ କହିଥିଲେ ମଧ୍ୟ ପ୍ରଦେଶରେ କ୍ଷମତାକୁ ଆସିବା ପରେ ତାଙ୍କ ଦଳ ପ୍ରଥମେ ଓବିସି ସଂଖ୍ୟା ଜାଣିବା ପାଇଁ ଜାତି ସର୍ଭେ କରିବ। ଏହା ‘ଏକ୍ସ-ରେ’ ପରି ହେବ ଯାହା ମାଧ୍ୟମରେ ଓବିସିର ସଠିକ୍ ସଂଖ୍ୟା ଜଣା ପଡ଼ିବ । ଏବଂ ତଦନୁଯାୟୀ ସେମାନଙ୍କ କଲ୍ୟାଣ ପାଇଁ ନୀତି ପ୍ରସ୍ତୁତ କରାଯିବ ।

Comments are closed.