ଅନ୍ତର୍ଜାତୀୟ ଦିନିକିଆରେ କୋହଲିଙ୍କ ୫୦ତମ ଶତକ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମୁମ୍ବାଇ: ଅନ୍ତର୍ଜାତୀୟ ଦିନିକିଆରେ ୫୦ତମ ଶତକ ହାସଲ କରିଛନ୍ତି ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି । ଓ୍ବାଙ୍ଖେଡେ ଷ୍ଟାଡିୟମରେ ବୁଧବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ ସେମିଫାଇନାଲରେ ଏହି ମାଇଲଖୁଣ୍ଟ ଛୁଇଁବା ସହ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି। ଅନ୍ତର୍ଜାତୀୟ ଦିନିକିଆରେ ସର୍ବାଧିକ ଶତକ ମାମଲାରେ ଏବେ କୋହଲି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସଚିନ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ୩୧ ଶତକ ସହ ତୃତୀୟ ସ୍ଥାନରେ ଅଛନ୍ତି ।

କୋହଲି ନିଜ ଦିନିକିଆ କ୍ୟାରିୟର ୨୭୯ତମ ଇନିଂସରେ ଏହି ରେକର୍ଡ ଶତକ ହାସଲ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ହୋମ୍ ଗ୍ରାଉଣ୍ଡରେ ବିରାଟ କୋହଲି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ସେମିଫାଇନାଲ ଦେଖିବା ପାଇଁ ସଚିନ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ । କୋହଲି ଶତକ ପୂରଣ କରିବା ପରେ ସଚିନ ମଧ୍ୟ ଠିଆ ହୋଇ କୋହଲିଙ୍କୁ ଅଭିବାଦନ ଜଣାଇଥିଲେ ।

ଚଳିତ ବିଶ୍ୱକପରେ ହିଁ ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋହଲି ନିଜ ଆଦର୍ଶ ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକ ରେକର୍ଡର ସମକକ୍ଷ ହୋଇଥିଲେ ।

Comments are closed.