ଜ୍ଞାନବାପି ମାମଲା: ସର୍ଭେ ରିପୋର୍ଟ ଦାଖଲ କରିବାକୁ ଆଉ ୧୫ ଦିନ ସମୟ ମାଗିଲା ଏଏସ୍ଆଇ

ବାରାଣସୀ: ବାରାଣସୀର ଜ୍ଞାନବାପି ମସଜିଦ ଉପରେ ସର୍ଭେ କରୁଥିବା ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ (ଏଏସ୍ଆଇ) ରିପୋର୍ଟ ଦାଖଲ କରିବାକୁ ଏଏସ୍ଆଇ କୋର୍ଟରୁ ଆଉ ୧୫ ଦିନ ସମୟ ମାଗିଛି।

ସର୍ଭେ ରିପୋର୍ଟ ନଭେମ୍ବର ୧୭ ତଥା ଆଜି ଦାଖଲ କରିବାର ଥିଲା । ଯଦିଓ ସର୍ଭେ କାର୍ଯ୍ୟ ଶେଷ ହୋଇଛି, ଟେକ୍ନିକାଲ ରିପୋର୍ଟ ଆସି ନାହିଁ। ତେଣୁ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଆଉ ୧୫ ଦିନ ସମୟ ଦେବାକୁ ବାରାଣସୀ ଜିଲ୍ଲା ଜଜ୍ ଏ.କେ ବିଶ୍ୱେଶଙ୍କ କୋର୍ଟରେ ଏକ ଆବେଦନ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ଓକିଲ ଅମିତ ଶ୍ରୀବାସ୍ତବ କହିଛନ୍ତି ।

ବାରାଣସୀର ଜ୍ଞାନବାପି ମସଜିଦ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ନେଇ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବିବାଦ ଲାଗି ରହିଛି। ତେଣୁ ମସଜିଦ ପରିସରର ସର୍ଭେ କରିବାକୁ କୋର୍ଟଙ୍କ ଠାରେ ଦାବି କରାଯାଇଥିଲା।

ଅଗଷ୍ଟରେ ସୁପ୍ରିମକୋର୍ଟଙ୍କ ଠାରୁ ସବୁଜ ସଙ୍କେତ ପାଇବା ପରେ ବାରାଣସୀ ଜିଲ୍ଲା କୋର୍ଟ ଜ୍ଞାନବାପି ପରିସର ସର୍ଭେ କରିବାକୁ ଏଏସଆଇକୁ ଚାରି ସପ୍ତାହ ସମୟ ଦେଇଥିଲେ।ପରେ ଏଏସ୍ଆଇର ଅନୁରୋଧ କ୍ରମେ ଏହି ସମୟ ସୀମା ଅନେକ ଥର ବୃଦ୍ଧି କରାଯାଇଥିଲା ।

Comments are closed.