ବରଗଡ ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ଯକ୍ଷ

-ବିଜେପୁର କଲେଜ ଅଡିଟୋରିୟମର ଶିଳାନ୍ୟାସ

– ଖଇରପାଲି ମୁଖ୍ୟମନ୍ତ୍ରୀ ସଭାଘର ପରିଦର୍ଶନ

ବରଗଡ଼: ବରଗଡ଼ ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଆଜି ଜିଲ୍ଲାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିଥିଲେ । ବିଜେପୁର କଲେଜରେ ବହୁମୁଖୀ ଅଡିଟୋରିୟମର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ଶ୍ରୀ ତ୍ରିପାଠୀ । ଏହି ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, କଲେଜ‌ରେ ଉନ୍ନତିକରଣ ହେଲେ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବିକାଶ ହେବ । ସେ ସେମାନଙ୍କ ଶିକ୍ଷାର ମାନବୃଦ୍ଧି କରିବା ସହ ପାଠ୍ୟକ୍ରମ ବହିର୍ଭୁତ କାର୍ଯ୍ୟକ୍ରମରେ ଅଡିଟୋରିୟମ୍ ବିଶେଷ ଭାବରେ ସ‌ହାୟକ ହେବ । ଜି ଏମ୍ ବିଶ୍ବବିଦ୍ୟାଳୟ ଅଡିଟୋରିୟମ ଭଳି ଏହି ମହାବିଦ୍ୟାଳୟର ଅଡିଟୋରିୟମ ମଧ୍ଯ ନିର୍ମାଣ କରାଯିବ ବୋଲି ମୋର ଆଶା । ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଜେପୁର ବିଧାୟିକା ତଥା ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଭାଗ ମନ୍ତ୍ରୀ ରୀତା ସାହୁ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷେ ବିଜେପୁର ସ୍ଥିତ ଟାଙ୍ଗରୁପଦରରୁ ମଘା ରାସ୍ତା ଓ ତଳପଦରରୁ ବରଗୋଡା ରାସ୍ତାରେ ବ୍ରିଜ୍‌ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଅନ୍ୟପକ୍ଷେ ଅତାବିରା ବ୍ଲକ ସ୍ଥିତ ଖଇରପାଲି ମୁଖ୍ୟମନ୍ତ୍ରୀ ସଭାଘର ପରିଦର୍ଶନ କରିଥିଲେ। ପରିଷଦର ଏହି ସଭାଘର ନିର୍ମାଣ ପାଇଁ ପରିଷଦ ପକ୍ଷରୁ ୮୪ ଲକ୍ଷ ୧୫ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା । ଗସ୍ତ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲାପାଳ ମନିଷା ବାନାର୍ଜୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ଅଜିତ୍ କୁମାର ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.