ରାଜ୍ୟରେ ପ୍ରଥମ : କ୍ୟାପିଟାଲ ହସ୍ପିଟାଲରେ ଅତ୍ୟାଧୁନିକ ମଡ୍ୟୁଲାର ଓଟି, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର -ରାଜ୍ୟରେ ପ୍ରଥମ ଥର ପାଇଁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ନୂଆ ଅପରେସନ ଟେକ୍ନୋଲଜି । କ୍ୟାପିଟାଲ ହସ୍ପିଟାଲରେ ମଡ୍ୟୁଲାର ଓପରେସନ ଥିଏଟର (ଓଟି)ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ରହିଛି ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମ । ମଡ୍ୟୁଲାର ଓଟିରେ ଏକସଙ୍ଗେର ୮ ଜଣଙ୍କର ଅସ୍ତ୍ରୋପଚାର ହୋଇପାରିବ। ମଡ୍ୟୁଲାର ଓଟି ପାଇଁ ଖର୍ଚ୍ଚ ହୋଇଛି ୧୬.୭୬ କୋଟି ଟଙ୍କା । ରାଜ୍ୟ ସରକାର ୧୫.୩୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିମାନବନ୍ଦର ପ୍ରାଧିକରଣ ଔଦ୍ୟଗିକ ସାମାଜିକ କର୍ତ୍ତବ୍ୟ ପାଣ୍ଠି ରୁ ୧.୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ୧ ମହଲା ବିଶିଷ୍ଟ ଘରେ ୮ ଟି ଗୃହ ରହିଛି । ଏଥିମଧ୍ୟରୁ ୫ଟି ଗୃହରେ ଓଟିର ବ୍ୟବସ୍ଥା ରହିଥିବା ବେଳେ ବାକି ଦୁଇଟି ଗୃହରେ ରୋଗୀଙ୍କ ପାଇଁ ଶଯ୍ୟା ରହିଛି । ଏଭଳି ବ୍ୟବସ୍ଥା କରାଯିବାରେ କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ପ୍ରଥମ ହସ୍ପିଟାଲ । ଏହାଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ବିଶେଷ କରି ଅସ୍ଥିଶଲ୍ୟ ଓ ହୃଦରୋଗ ବିଭାଗର ଅସ୍ତ୍ରୋପଚାର ସୁବିଧାରେ ହୋଇପାରିବା ସହ ସାଧାରଣ ରୋଗୀ ଅଧିକରୁ ଅଧିକ ଉପକୃତ ହୋଇପାରିବେ ।

ଓଟିର ଉଦଘାଟନ ଉତ୍ସବରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ, ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଓ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ଥିଲେ ।

Comments are closed.