ଅର୍ଥ ପରାମର୍ଶଦାତାମାନଙ୍କ ପାଇଁ ଏକ ଦିବସୀୟ ଜିଏସଟି କର୍ମଶାଳା ଆୟୋଜିତ 

ଭୁବନେଶ୍ବର – ରାଜ୍ୟ ବାଣିଜ୍ୟ କର , ଦ୍ରବ୍ୟ ଓ ସେବାକର କମିଶନ ( ସିଟି ଓ ଜିଏସଟି କମିଶନରେଟ୍‌ ) କାର୍ଯ୍ୟାଳୟ , ଅର୍ଥ ବିଭାଗ ତରଫରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ କର୍ପୋରେସନରେ କାର୍ଯ୍ୟ କରୁଥିବା ଅର୍ଥ ପରାମର୍ଶ ଦାତା ( ଏଫଏ ) ଏବଂ ସହକାରୀ ଅର୍ଥ ପରାମର୍ଶ ଦାତା ( ଏଏଫଏ ) ମାନଙ୍କ ନିମନ୍ତେ ଏକ ଦିବସୀୟ ଦ୍ରବ୍ୟ ଓ ସେବା କର ଆଇନ ( ଜିଏସଟି ) ସଂପର୍କିତ କର୍ମଶାଳା ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ମୁଖ୍ୟ ଅତିଥି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ,ଏଫଏ ଓ ଏଫଏଏ ଏବଂ ବିଭିନ୍ନ ସରକାର ଟ୍ରେଜେରୀମାନଙ୍କରେ କାର୍ଯ୍ୟରତ ଓଡ଼ିଶା ଅର୍ଥସେବା ଅଧିକାରୀମାନେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଛନ୍ତି । ରାଜ୍ୟ ପ୍ରତି ଅନୁରକ୍ତ ରହି ରାଜ୍ୟର ସ୍ବାର୍ଥକୁ ସୁନିଶ୍ଚିତ କରିବାକୁ ସେମାନେ କାର୍ଯ୍ୟ କରୁଛନ୍ତି । ରାଜ୍ୟର ରାଜସ୍ବ ଆଦାୟ ଓ ଜିଏସଟି ସଂଗ୍ରହରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସେମାନଙ୍କର ଯୋଗଦାନ ରହିଛି । ଜିଏସି ଆଦାୟ ଓ ଆର୍ଥିକ ପରିଚାଳନା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ବିଭାଗରେ ବହୁ ଅଭିଜ୍ଞ ଅଧିକାରୀ ଅଛନ୍ତି । ଜିଏସଟି ନିୟମ ସଂପର୍କରେ ସବୁ ବିଭାଗ ଜାଣିବା ଆବଶ୍ୟକ । କେଉଁ କ୍ଷେତ୍ରରେ ଜିଏସଟି ଲାଗୁ ହେବ ବା ଲାଗୁ ହେବ ନାହିଁ , ସେଥିରେ ଦ୍ବନ୍ଦ୍ବ ଉପୁଜିଲେ ବିନା ଦ୍ବିଧାରେ ସେମାନେ ଏହି ସବୁ ଅଧିକାରୀମାନଙ୍କ ପରାମର୍ଶ ନେବାକୁ ମୁଖ୍ୟ ଶାସନ ସଚିବ ପ୍ରଶିକ୍ଷଣ ନେଉଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟର ଅଭିବୃଦ୍ଧି ଓ ବିତ୍ତୀୟ ପରିଚାଳନା ଦୃଷ୍ଟିରୁ ଜିଏସଟି ସଂଗ୍ରହ ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ । ଅର୍ଥ ତଥା ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଓଡ଼ିଶାର ବିତ୍ତୀୟ ପରିଚାଳନା ସଂପର୍କରେ ବକ୍ତବ୍ୟ ରଖି ଦ୍ରବ୍ୟ ଓ ସେବା ଆଇନର କାର୍ଯ୍ୟକାରିତାରେ କି କି ବ୍ୟବସ୍ଥା ରହିଛି , ସେ ସଂପର୍କରେ ଆଲୋକପାତ କରିଥିଲେ । ବାଣିଜ୍ୟ କର , ଦ୍ରବ୍ୟ ଓ ସେବା କର ମୁଖ୍ୟ ଆୟୁକ୍ତ ତଥା ଗ୍ରାମ୍ୟ ଉନ୍ନୟନ , ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବସଂଜୟ କୁମାର ସିଂ ପ୍ରାରମ୍ଭିକ ସ୍ବାଗତ ଭାଷଣ ପ୍ରଦାନ ପୂର୍ବକ ଉଦାହରଣ ଦେଇ ଜିଏସଟି ଲାଗୁଥିବା ବିଭିନ୍ନ କ୍ଷେତ୍ରରେ ରହିଥିବା ବିଭିନ୍ନ ଦ୍ବନ୍ଦ୍ବ ଓ ଏହାର ସମାଧାନ ସଂପର୍କରେ ସବିଶେଷ ଜ୍ଞାନ ଆହରଣ ସଂପର୍କରେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ , ଜିଏସଟି ସଂପର୍କିତ ବହୁ ଡିଜିଟାଲ ଡାଟା ବା ତଥ୍ୟ ରହିଛି । ସେସବୁ କାର୍ଯ୍ୟ କ୍ଷେତ୍ରରେ ଏବଂ ଅଡିଟ୍ ପରିପ୍ରେକ୍ଷୀରେ ଗୁରୁତ୍ବପୂର୍ଣ୍ଣ । ନକଲି ଚାଲାଣ କାଟିବା ରୋକିବା ଦିଗରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ । ସେହିପରି ବିଭିନ୍ନ ବିଭାଗ ସହିତ କର୍ପୋରେସନଗୁଡିକ ମଧ୍ୟ ଜିଏସଟି ନିୟମ ମାନିବା ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ । ଅର୍ଥ ପରାମର୍ଶଦାତାମାନେ ସେମାନଙ୍କ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସଚେତନ କରିବାକୁ ଓ ବୁଝାଇବାକୁ ସେ ମଧ୍ୟ କହିଥିଲେ । କାର୍ଯ୍ୟକ୍ରମରେ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଆୟୋଜିତ ଏହି କର୍ମଶାଳାରେ ବାଣିଜ୍ୟ କର , ଦ୍ରବ୍ୟ ଓ ସେବା କର କମିଶନ ( ସିଟି ଓ ଜିଏସଟି କମିଶନରେଟ୍ ) କାର୍ଯ୍ୟାଳୟର ଅଧିକାରୀମାନେ ପ୍ରଶିକ୍ଷଣ ଦେଇଥିଲେ । ପାରସ୍ପରିକ ଆଲୋଚନା ମାଧ୍ୟମରେ ଜିଏସଟି ସଂପର୍କିତ ବହୁ ସନ୍ଦେହ ଦୂର କରାଯାଇଥିଲା ।

Comments are closed.