ଗଜପତି ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ପ୍ଲାଷ୍ଟିକମୁକ୍ତ ହେବ

ପାରଳାଖେମୁଣ୍ଡି: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। ଜିଲ୍ଲା, ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନ ଏପରିକି ବିଦେଶରୁ ମଧ୍ୟ ବହୁ ପର୍ଯ୍ୟଟକ ବଣ ପାହାଡ଼ ତଥା ଜଳପ୍ରପାତର ସୌନ୍ଦର୍ଯ୍ୟରେ ଭରପୁର ଶାନ୍ତ ଶୀତଳ ଗଜପତି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଛୁଟି ଆସିଥାନ୍ତି। ଏହା ଅଞ୍ଚଳବାସୀଙ୍କ ସମେତ ଜିଲ୍ଲା ତଥା ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ଦିଗରେ ସହାୟକ ହୋଇଥାଏ। ସେଥିପାଇଁ ଆଗନ୍ତୁକଙ୍କ ରହଣୀ ଓ ସୁବିଧାରେ ଭ୍ରମଣ ଦୃଷ୍ଟିରୁ ବିଭିନ୍ନ ସ୍ତରରେ ବ୍ୟାପକ ପ୍ରୟାସ କରାଯାଉଛି। ସେମିତି ଏକ ପ୍ରୟାସରେ ଆଗଭର ହୋଇଛନ୍ତି ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ। ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଓ ପିକନିକ୍ ସ୍ପଟକୁ ପଲିଥିନ୍ ଓ ପ୍ଲାଷ୍ଟିକ ମୁକ୍ତ ତଥା ପରିବେଶ ଅନୁକୂଳ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଗଜପତି ଜିଲ୍ଲାପାଳ।

ବର୍ତ୍ତମାନ ଟୁରିଷ୍ଟମାନଙ୍କ ଆଗମନ ଆରମ୍ଭ ହୋଇଯାଇଛି। ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି (ଓଡ଼ିଶାର ମିନି ତିବ୍ଦତ)ରେ ରହିଛି ଦକ୍ଷିଣ ଏସିଆ ମହାଦେଶର ସର୍ବୋଚ୍ଚ ବୌଦ୍ଧ ମନ୍ଦିର। ପୁଣି ରାୟଗଡ଼ ବ୍ଲକରେ ଅଛି ଗଣ୍ଡାହାତୀ ଜଳପ୍ରପାତ ଓ ଗୁଦଗୁଦା ଜଳପ୍ରପାତ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ତଥା ରାମାୟଣ ସର୍କିଟ ଅନ୍ତର୍ଗତ ପବିତ୍ର ମହେନ୍ଦ୍ରଗିରି ପର୍ବତ। ସେହିପରି ରା.ଉଦୟଗିରି ବ୍ଲକର ମାଙ୍କଡଡିଆଁ ଓ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ମହେନ୍ଦ୍ରତନୟା ନଈ ତଟରେ ଅବସ୍ଥିତ ବି.ଏନ୍. ପ୍ୟାଲେସ୍ ଟୁରିଷ୍ଟମାନଙ୍କ ପାଇଁ ଆକର୍ଷଣର ସ୍ଥାନ ଅଟେ। ଏସବୁ ସ୍ଥାନକୁ ତଥା ମୋଟାମୋଟି ଭାବେ ଗଜପତି ଜିଲ୍ଲାକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏବଂ ପରିବେଶକୁ ସ୍ଵଛ ଓ ନିର୍ମଳ ରଖିବା ପାଇଁ ଏବେ ଏହି ସବୁ ସ୍ଥାନରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ମନା କରାଯାଇଛି। ଏହି ସବୁ ପର୍ଯ୍ୟଟନ ସ୍ଥଳରେ କୌଣସି ଦୋକାନୀ, ବ୍ୟବସାୟ ପ୍ରତିଷ୍ଠାନ ଏପରିକି ଗ୍ରାହକ ମଧ୍ୟ ଏଣିକି ପ୍ଲାଷ୍ଟିକ୍ କିମ୍ବା ପଲିଥିନ୍ ବ୍ୟବହାର ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ନିୟମ ଉଲ୍ଲଘଂନ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ। ଏଭଳି ଜିନିଷ ଜବତ କରାଯିବା ସହ ଦୁଇରୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ। ପଲିଥିନ୍ ଓ ପ୍ଲାଷ୍ଟିକ୍ ସାମଗ୍ରୀ ପୋଡ଼ିବା ତଥା ପରିଚାଳନାରେ ଅବହେଳା କରାଗଲେ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ପୌର ସଂସ୍ଥା ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ମଧ୍ୟ ତଣ୍ଡ ଦେବାକୁ ପଡିବ।

ଏଥି ସମ୍ବନ୍ଧିତ ନିର୍ଦ୍ଦେଶନାମା ଗଜପତି ଜିଲ୍ଲାପାଳ ଜାରି କରିଛନ୍ତି। ଏହାର ତଦାରଖ କରିବେ ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ, ବନ ବିଭାଗ ଅଧିକାରୀ ପ୍ରମୁଖଙ୍କୁ ନେଇ ଗଠିତ ଏକ କମିଟି। ଏନଫୋର୍ସମେଣ୍ଟ, ସଚେତନତା ଓ ନିୟମ ତଦାରଖ କରିବ ଏହି କମିଟି। ଏହାର ସଦସ୍ୟମାନେ ସପ୍ତାହକୁ ଥରେ ଏହି ସବୁ ପିକନିକ୍ ସ୍ପଟ୍ ଓ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରି ଗଜପତି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ।

Comments are closed.