ମିଶନ ଶକ୍ତି ପରେ ସଶକ୍ତ ହେବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ: ଦାୟିତ୍ବ ନେଲେ ସୁଜାତା ରାଉତ କାର୍ତ୍ତିକେୟନ

ଭୁବନେଶ୍ବର: ରାଜ୍ୟର ପ୍ରତିଟି କୋଣ ଅନୁକୋଣର ମହିଳାଙ୍କୁ ସଶକ୍ତ କରିଥିବା ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଏବେ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବରେ। ତାଙ୍କର ଅକ୍ଳାନ୍ତ ପରିଶ୍ରମ ଏବଂ ସଠିକ ଭିଜନ ପାଇଁ ରାଜ୍ୟର ପ୍ରତିଟି ଅପହଞ୍ଚ ଇଲାକାର ମହିଳା ଆତ୍ମନିର୍ଭର ହୋଇପାରିଛନ୍ତି। ତାଙ୍କର ବଳିଷ୍ଠ ନେତୃତ୍ବରେ ମିଶନ ଶକ୍ତି ଆଜି ସାରା ଦେଶରେ ଏକ ଇର୍ଷଣୀୟ ସଫଳତା ପାଇଛି। ଆଉ ବର୍ତ୍ତମାନ ତାଙ୍କ ନେତୃତ୍ବରେ ଓଡ଼ିଆ ଭାଷା ଏବଂ ସଂସ୍କୃତି ମଧ୍ଯ ଏକ ନୂତନ ଶିଖର ଛୁଇଁବ ବୋଲି ସବୁ ମହଲରେ ଆଶା ସଞ୍ଚାର ହେଲାଣି।

୨୦୦୦ ବ୍ୟାଚର ଏହି ଓଡ଼ିଆ ଆଇଏଏସ ଅଫିସର ସୁଜାତା ତାଙ୍କର ପ୍ରଶାସନିକ କ୍ୟାରିୟର ଆରମ୍ଭରୁ ନିଜ ର ପ୍ରତିବଦ୍ଧତାର ପ୍ରମାଣ ଦେଇ ସାରିଛନ୍ତି। ବିଭିନ୍ନ ପଦପଦବିରେ ରହି ତାଙ୍କର ପରାକାଷ୍ଠା ଦେଖାଇ ଆସିଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହିଳା ସଶକ୍ତିକରଣ ପାଇଁ ଗଠିତ ମିଶନ ଶକ୍ତିର ମଂଗ ଧରି ଏହି ବିଭାଗକୁ ସଫଳତାର ଶୀର୍ଷକୁ ନେଇ ପାରିଛନ୍ତି। ରାଜ୍ୟର ଅପହଞ୍ଚ ଇଲାକା ଭାବେ ପୂର୍ବରୁ ପରିଚିତ ଚିତ୍ରକୋଣ୍ଡାକୁ ସେତୁ ନିର୍ମାଣ ଆଗରୁ ଏସ୍ଏଚଜିକୁ ସଶକ୍ତ କରିଥିବା ସୁଜାତା ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ଏଥିରେ ସାମିଲ କରି ସାରା ଦେଶରେ ଏକ ବିରଳ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଘର କୋଣରେ ଆବଦ୍ଧ ମହିଳା ବିଦେଶ ମାଟିରେ ନିଜର ଚମକ ଦେଖାଇ ପାରୁଥିବା ବେଳେ ଏଥିରେ ସୁଜାତାଙ୍କ ଭୂମିକା ଉଲ୍ଲେଖନୀୟ ରହିଛି। ଗୁରୁତ୍ବପୂର୍ଣ କଥା ହେଉଛି ଯେ ଆଜି ଓଡିଶା ମୁଣ୍ଡ ପିଛା ଆୟ ବୃଦ୍ଧିରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଥିବା ବେଳେ ଏଥିରେ ଏସ୍ଏଚଜି ମହିଳାଙ୍କ ସିଂହଭାଗ ଭୂମିକା ଥିବା କଥାକୁ ସବୁ ବିଶେଷଜ୍ଞ ସ୍ବୀକାର କରି ସାରିଛନ୍ତି।
ବର୍ତ୍ତମାନ ସୁଜାତାଙ୍କୁ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିବା ପରେ ଏହି ବିଭାଗ ବି ଉଲ୍ଲେଖନୀୟ ସଫଳତା ମିଳିବ ବୋଲି ଆଶା କରାଯାଉଛି। ବିଶେଷ କରି ଓଡିଶାର ମହାନ ସଂସ୍କୃତି ଓ ଐତିହ୍ୟ ବିଶ୍ବବିଦିତ ହୋଇଥିବା ବେଳେ ଏହାକୁ ଅଧିକ ରୁଦ୍ଧିମନ୍ତ କରିବାରେ ସୁଜାତାଙ୍କ ଏହି ନୂତନ ଦାୟିତ୍ବ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।

Comments are closed.