ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ‘ପନୌତି’ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ‘ପନୌତି’ ମନ୍ତବ୍ୟ ପାଇଁ ନିର୍ବାଚନ କମିଶନ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଶନିବାର (ନଭେମ୍ବର ୨୫) ଅପରାହ୍ନ ୬ଟା ସୁଦ୍ଧା ଏହି ନୋଟିସର ଜବାବ ଦେବାକୁ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ନିର୍ବାଚନ କମିଶନ।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପର ଫାଇନାଲରେ ଭାରତୀୟ ଦଳର ପରାଜୟ ପାଇଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଥିଲେ । ମୋଦୀଙ୍କ ବିରୋଧରେ ‘ପନୌତି’ ଶବ୍ଦ ବ୍ୟବହାର କରିଥିଲେ ରାହୁଲ । ହିନ୍ଦୀରେ ‘ପନୌତି’ ଶବ୍ଦର ବ୍ୟବହାର ଅଶୁଭ ବ୍ୟକ୍ତିଙ୍କ ପାଇଁ ହୁଏ ।

ମଙ୍ଗଳବାର ରାଜସ୍ଥାନରେ ଏକ ନିର୍ବାଚନୀ ରାଲିରେ ରାହୁଲ ଗାନ୍ଧୀ କହିଥିଲେ, ‘ ଆମ ପିଲେ (ଭାରତୀୟ ଦଳ) ଭଲରେ ଭଲରେ ବିଶ୍ୱକପ ଜିତିଥାନ୍ତେ, କିନ୍ତୁ ପିଏମ୍ ଅର୍ଥାତ୍ ପନୌତି ମୋଦୀ ହରାଇଦେଲେ । ଏ କଥା ଟିଭିବାଲା କେବେ କହିବେନି। କିନ୍ତୁ ସାଧାରଣ ଲୋକ ସବୁ ଜାଣିଛନ୍ତି।”

ରାହୁଲଙ୍କ ଏହି ମନ୍ତବ୍ୟରେ ଆପତ୍ତି ଉଠାଇବା ସହ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲା ବିଜେପି । ନିର୍ବାଚନ ଆଚରଣବିଧି ଉଲଘଂନ ଅଭିଯୋଗ କରି ବିଜେପି ବୁଧବାର ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ କମିଶନରେ ଫେରାଦ୍ ହୋଇଥିଲା । କଂଗ୍ରେସ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି।

Comments are closed.