ମହଙ୍ଗା ପଡ଼ିଲା ତ୍ରୁଟିପୂର୍ଣ୍ଣ ହେୟାରକଟ୍‌, ସେଲୁନ୍ ଦେବ ୨ କୋଟି ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ: ଜଣେ ମହିଳା ମଡେଲ୍‌ଙ୍କ ତ୍ରୁଟିପୂର୍ଣ୍ଣ ହେୟାରକଟ୍ ଏକ ସେଲୁନ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିପାଇଁ ଉକ୍ତ ସେଲୁନ୍‌କୁ ଶହ କିମ୍ବା ହଜାରେ ନୁହେଁ ବରଂ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ପଡିବ । ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ପରିସରରେ ଥିବା ସେଲୁନ୍‌କୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ଉପଭୋକ୍ତା ଅଭିଯୋଗ ନିବାରଣ କମିଶନ (ଏନ୍‌ସିଡିଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୋଗ କ୍ରମେ ମହିଳା ମଡେଲ୍ ଜଣକ ୨୦୧୮ ଏପ୍ରିଲ ୧୨ରେ ଏକ ସେଲୁନ୍‌ରେ ନିଜର ଚୁଟି କାଟିବାକୁ ଯାଇଥିଲେ । ତେବେ ମଡେଲ୍‌ଙ୍କର ନିୟମିତ ହେୟାର ଡ୍ରେସର ସେହିଦିନ ନଥିବାରୁ ଆଉ ଜଣେ ହେୟାର ଷ୍ଟାଇଲିଷ୍ଟ୍ ତାଙ୍କର ଚୁଟି କାଟିଥିଲେ । ତାଙ୍କ ଚୁଟି କେମିତି କାଟିବେ ତାହା ମଡେଲ ଜଣକ ହେୟାର ଡ୍ରେସରଙ୍କୁ କହିଥିଲେ । ଆଗରେ ଲମ୍ବା ‘ଫ୍ଲିକ୍ସ’ ରଖି ପଛଭାଗର ଚୁଟି ଚାରି ଇଞ୍ଚ କାଟିବାକୁ ହେୟାର ଡ୍ରେସରଙ୍କୁ କହିଥିଲେ ମଡେଲ୍ । ତେବେ ମଡେଲ୍ ଯେମିତି କହିଥିଲେ ସେମିତି ନ କାଟି ହେୟାର ଷ୍ଟାଇଲିଷ୍ଟ ଜଣକ ତାଙ୍କ ମନ ପସନ୍ଦର ‘ଲଣ୍ଡନ’ ଷ୍ଟାଇଲ୍‌ରେ ତାଙ୍କର ଚୁଟି କାଟୁଛନ୍ତି ବୋଲି କହିଥିଲେ । ଯେତେବେଳେ ମଡେଲ୍ ଦର୍ପଣରେ ନିଜ ହେୟାରକଟ୍ ଦେଖିଲେ ସେ ଚକିତ ହୋଇଯାଇଥିଲେ । କେବଳ ପଛପଟ ଚୁଟି ଚାରି ଇଞ୍ଚ କାଟିବାକୁ କୁହାଯାଇଥିଲେ ମଧ୍ୟ ତାଙ୍କର ପୂରା ମୁଣ୍ଡର ଚୁଟି ଚାରି ଇଞ୍ଚ ଛୋଟ କରିଦେଇଥିଲେ ହେୟାର ଷ୍ଟାଇଲିଷ୍ଟ ।
ମଡେଲ୍ ଜଣକ ଏନେଇ ସେଲୁନ୍ ମ୍ୟାନେଜମେଣ୍ଟ୍‌ରେ ଅଭିଯୋଗ କରିଥିଲେ । ତାଙ୍କୁ ମନାଇବା ପାଇଁ ସେଲୁନ୍ ତରଫରୁ ମାଗଣା ହେୟାରକଟ୍ ଅଫର୍ ମଧ୍ୟ ଦିଆଯାଇଥିଲା । ଏହା ବିରୋଧରେ ମଡେଲ୍ ଜଣକ ଏନ୍‌ଡିଆର୍‌ସିର ଦ୍ୱାରସ୍ଥ ହୋଇଥିଲେ । ତାଙ୍କର ତ୍ରୁଟିପୂର୍ଣ୍ଣ ହେୟାରକଟ୍ ଦ୍ୱାରା ସେ ମାନସିକ ଆଘାତ ପାଇଥିବା ଦର୍ଶାଇ କ୍ଷତିପୂରଣ ଦାବି କରିଥିଲେ । ଏନ୍‌ଡିଆର୍‌ସି ଏହାର ଶୁଣାଣି କରି ମଡେଲ୍‌ଙ୍କୁ ୮ ସପ୍ତାହ ମଧ୍ୟରେ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏନ୍‌ଡିଆର୍‌ସି ଅଧ୍ୟକ୍ଷ ଆର୍‌କେ ଅଗ୍ରୱାଲ ନିଜ ରାୟରେ କହିଛନ୍ତି ଯେ, ମହିଳାମାନେ ସାଧାରଣତଃ ନିଜ କେଶ ପ୍ରତି ଯତ୍ନବାନ ଓ ସମ୍ବେଦନଶୀଳ ଅଟନ୍ତି । ନିଜ କେଶର ଯତ୍ନ ନେବା ପାଇଁ ସେମାନେ ବହୁତ ଟଙ୍କା ଖର୍ଚ୍ଚ ବି କରନ୍ତି । ଏହାଛଡ଼ା ନିଜ କେଶ ପ୍ରତି ମହିଳାଙ୍କ ଭାବାବେଗ ଯୋଡ଼ି ହୋଇ ରହିଛି । ଅଭିଯୋଗକାରୀ ମହିଳା ଜଡେ ମଡେଲ୍ ଏବଂ ସେ ହେୟାର ପ୍ରଡକ୍ଟସ୍‌ର ପ୍ରଚାର କରନ୍ତି । ସେ ଯେମିତି ଚାହୁଁଥିଲେ ସେମିତି ତାଙ୍କର ଚୁଟି କଟାଯାଇନଥିବାରୁ ସେ ମାନସିକ ଆଘାତ ପାଇଛନ୍ତି ।

Comments are closed.