ଶେରଗଡ଼ ଫାଣ୍ଡି ଅଧିକାରୀ ହତ୍ୟା ମାମଲା: ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସମୀର ପଣ୍ଡାକୁ ଆଜୀବନ ଜେଲ୍ ଓ ଜୋରିମାନା

ବ୍ରହ୍ମପୁର – ୨୦୧୦ ମସିହାର ବହୁଚର୍ଚ୍ଚିତ ଶେରଗଡ଼ ଫାଣ୍ଡି ଅଧିକାରୀ ତଥା ସବ୍ ଇନ୍ସପେକ୍ଟର ମନୋରଞ୍ଜନ ମିଶ୍ର ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ସମୀର ପଣ୍ଡା ଦୋଷୀ ସାବ୍ୟସ୍ତ ହୋଇଛି । ଆସିକା ଅତିରିକ୍ତ ଜିଲ୍ଲା ଦୌରାଜଜ ପି.କେ ଚୌଧୁରୀ ସମୀରକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ନଭେମ୍ବର ୧୫ ତାରିଖରୁ ଫେରାର ଥିବା ସମୀରକୁ ଗତ ରବିବାର ଦିନ ବ୍ରହ୍ମପୁରର ଏକ ଲଜରୁ କାବୁ କରିଥିଲା ପୋଲିସ। ସମୀର ବିରୋଧରେ ବିଭିନ୍ନ ମାମଲା ରୁଜୁ କରିଥିଲା ପୋଲିସ । ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ସମୀରକୁ ଆଜୀବନ ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୪ ମାସ ସଶ୍ରମ ଜେଲ୍ ଦଣ୍ଡା ଭୋଗିବ ସମୀର । ଏହାଛଡା ପୋଲିସ ଆର୍ମସ ଆକ୍ଟ ସମେତ ଆଇପିସିର ବିଭିନ୍ନ ଧାରା ଅନୁସାରେ ରୁଜୁ କରିଥିବା ଅନ୍ୟ ମାମଲାରେ ମଧ୍ୟ ସମୀରକୁ ଜେଲ୍ ଦଣ୍ଡାଦେଶ ଓ ଜୋରିମାନା ଲଗାଯାଇଛି । ଅଭିଯୁକ୍ତଠାରୁ ଜୋରିମାନା ବାବଦ ଅର୍ଥ ଆଦାୟ କରି ମନୋରଞ୍ଜନଙ୍କ ପତ୍ନୀ ତନ୍ମୟୀ ମିଶ୍ରଙ୍କୁ ଦେବାକୁ କୋର୍ଟଙ୍କ ରାୟରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ ଯେ, ୨୦୧୦ ମସିହା ନଭେମ୍ବର ୨୬ ତାରିଖ ରାତିରେ ତତ୍କାଳୀନ ଶେରଗଡ଼ ଫାଣ୍ଡି ଅଧିକାରୀ ତଥା ସବ୍ ଇନ୍ସପେକ୍ଟର ମନୋରଞ୍ଜନ ମିଶ୍ର ପାଟ୍ରୋଲିଂ ଡ୍ୟୁଟିରେ ଥିବା ବେଳେ କିଛି ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଉତ୍ତ୍ୟକ୍ତ ଯୁବକମାନେ ମନୋରଞ୍ଜନଙ୍କୁ ଗୁଳି କରିବାରୁ ସେ ପ୍ରାଣ ହରାଇଥିଲେ। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା । ଘଟଣାର ଦୀର୍ଘ ୧୩ ବର୍ଷ ପରେ ଗତ ନଭେମ୍ବର ୧୫ ତାରିଖରେ କୋର୍ଟ ମାମଲା ରାୟ ଦେଇ ଉପସ୍ଥିତ ଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଅନ୍ୟ ଜଣଙ୍କୁ ପ୍ରମାଣ ଅଭାବରୁ ଛାଡ଼ି ଦେଇଥିଲେ । କିନ୍ତୁ ଅନ୍ୟ ଏକ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଜାମିନ ପାଇଥିବା ସମୀର ପଣ୍ଡା ରାୟ ପ୍ରକାଶ ଦିନ ଫେରାର ହୋଇଯାଇଥିଲା ।

Comments are closed.