ବାତ୍ୟା ମିଗ୍‌ଜୋମ୍ ପ୍ରଭାବରେ ଚେନ୍ନାଇରେ ବର୍ଷା ବିତ୍ପାତ, ୮ ମୃତ

ଚେନ୍ନାଇ: ବାତ୍ୟା ‘ମିଗ୍‌ଜୋମ୍’ ପ୍ରଭାବରେ ଚେନ୍ନାଇରେ ବର୍ଷା‌ ବିତ୍ପାତ। ବାତ୍ୟା ଆଜି ଆନ୍ଧ୍ର ପ୍ରଦେଶର ବାପଟଲାରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହାର‌ ପ୍ରଭାବରେ ତାମିଲନାଡୁ ଓ ବିଶେଷକରି ଚେନ୍ନାଇ ମହାନଗରୀ ପ୍ରବଳ ବର୍ଷା ହୋଇଛି । ସହରର ରାସ୍ତାଘାଟ ପ୍ରମୁଖ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଥିବା ବେଳେ ଜୀବନଯାତ୍ରା ବ୍ୟାହତ ହୋଇଛି । ସ୍ଥିତି ଏପରି ହୋଇଛି ଯେ ଚେନ୍ନାଇ ବାସୀଙ୍କୁ ୨୦୧୫ର କଥା ମନେ ପଡ଼ିଯାଇଛି ।

ଚେନ୍ନାଇ ସହରରେ ବର୍ଷା ୮୦ ବର୍ଷର ରେକର୍ଡ ଭାଙ୍ଗିଛି । ସମଗ୍ର ସହର ଜଳପ୍ଲାବିତ ହୋଇଛି। କେତେକ ସ୍ଥାନରେ ଯାନବାହନ ପାଣିରେ ଭାସିଯାଇଛି। ରାସ୍ତା ଉପରେ ୪-୫ ଫୁଟର ପାଣି ଚାଲୁଛି । କେତେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି। ବର୍ଷାରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷା ଯୋଗୁ ପାଣି ଭରିଯିବା ଫଳରେ ଚେନ୍ନାଇ ବିମାନବନ୍ଦର ରନୱେକୁ ବନ୍ଦ କରିଦିଆଯାଇଛି। ବିମାନର ଚକ ପାଣିରେ ବୁଡିରହିଛି। କେତେକ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ପ୍ରବଳ ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନରେ ଫସିରହିଥିବା ୩୦୦ରୁ ଅଧିକ ଲୋକଙ୍କୁ ସେନା ଉଦ୍ଧାର କରିଛି। ଚେନ୍ନାଇର ପେରୁଙ୍ଗଲଥୁର ଅଞ୍ଚଳରେ ରାସ୍ତା ଉପରେ ଏକ କୁମ୍ଭୀର ବୁଲିବାର ଦେଖିବାକୁ ମିଳିଛି । ଟ୍ରେନ ଚଳାଚଳ ବନ୍ଦ ହେବା ଯୋଗୁ ବିଭିନ୍ନ ଷ୍ଟେସନରେ ଲୋକମାନେ ଅଟକି ରହିଛନ୍ତି। ତାମିଲନାଡୁରେ ସୋମବାର ଓ ମଙ୍ଗଳବାର ଜରୁରି ସେବାକୁ ଛାଡିଦେଲେ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି ।

ଏନ୍‌ଡିଆରଏଫର ୯ ଏବଂ ଏସ୍‌ଡିଆରଏଫର ୧୪ ଟିମ୍‌କୁ ମୁତୟନ କରାଯାଇଛି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

Comments are closed.