ଜାନୁୟାରୀ ୧ରୁ ବଦଳିବ ସିମ୍ କାର୍ଡ ନିୟମ, ପୂରା ପ୍ରକ୍ରିୟା ହେବ ଡିଜିଟାଲ୍

ନୂଆଦିଲ୍ଲୀ: ଜାନୁୟାରୀ ୧ରୁ ସିମ୍ କାର୍ଡ ପାଇଁ ଲାଗୁ ହେବ ନୂଆ ନିୟମ । ନୂଆବର୍ଷ ଠାରୁ ସିମ୍ କିଣିବା ପାଇଁ କେବଳ ଡିଜିଟାଲ୍ କେଓ୍ବାଇସି ଦରକାର ପଡ଼ିବ । ସମ୍ପ୍ରତି ସିମ୍ କିଣିବା ପାଇଁ ଡକ୍ୟୁମେଣ୍ଟ ଗୁଡ଼ିକର ଫିଜିକାଲ ଭେରିଫିକେସନ ହେଉଛି, ଯାହା ଏକ ମହଙ୍ଗା ଓ ସମୟ ସାପେକ୍ଷ ପ୍ରକ୍ରିୟା । ହେଲେ‌ ଜାନୁୟାରୀ ପହିଲାରୁ କେବଳ ଡିଜିଟାଲ ବା ଅନଲାଇନ୍ କେଓ୍ବାଇସି ଲାଗୁ ହେବ ।

ଏ ସମ୍ପର୍କରେ ଟେଲିକମ୍ ବିଭାଗ ନିର୍ଦ୍ଦେଶ ଜାରି କରିଛି। ଜାନୁଆରୀ ୧ରୁ ନୂଆ ସିମ୍ କାର୍ଡ କିଣିବା ପାଇଁ ଗ୍ରାହକଙ୍କୁ କେବଳ ଇ-କେଓ୍ବାଇସି କରିବାକୁ ପଡ଼ିବ । ସିମ୍ ଠକେଇକୁ ରୋକିବା ପାଇଁ ଏହି ନୂଆ ନିୟମ ଆଣିଛି ଟେଲିକମ ବିଭାଗ। ନୂଆ ନିୟମ ଲାଗୁ ପରେ କାଗଜ ଆଧାରିତ କେଓ୍ବାଇସି ବନ୍ଦ ହେବ ‌। ଏହାଦ୍ବାରା ଟେଲିକମ୍ କମ୍ପାନୀ ଗୁଡିକର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।

ଅଗଷ୍ଟରେ ସରକାର ଏହି ନୂଆ ନିୟମ ସମ୍ପର୍କରେ ଘୋଷଣା କରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହୋଇଥିଲା। ନୂଆ ନିୟମ ଅଧୀନରେ ସିମ୍ କାର୍ଡ ବିକ୍ରେତା ମାନଙ୍କର ଯାଞ୍ଚ ମଧ୍ୟ ହେବ।

ସାଇବର ଠକେଇ ମାମଲା ବୃଦ୍ଧି ପାଉଥିବାରୁ ଟେଲିକମ ବିଭାଗ ଏହି ନୂଆ ନିୟମ ଆଣିଛି । ସମ୍ପ୍ରତି ସରକାର ସାଇବର ଠକେଇ ଓ ବେଆଇନ କାରବାର ସହ ସମ୍ପୃକ୍ତ ୭୦ ଲକ୍ଷ ମୋବାଇଲ୍ ନମ୍ବରକୁ ବ୍ଲକ୍ କରିଛନ୍ତି।

ନୂଆ ସିମ୍ କାର୍ଡ ନିୟମ ଅନୁଯାୟୀ ଟେଲିକମ୍ କମ୍ପାନୀଗୁଡିକ ପାଇଁ ସରକାର ଫ୍ରାଞ୍ଚାଇଜ୍, ବିତରକ ଏବଂ ପଏଣ୍ଟ ଅଫ୍ ସେଲ୍ (ପିଓଏସ୍) ଏଜେଣ୍ଟଗୁଡିକର ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି। ଟେଲିକମ୍ ଡିଲର ଏବଂ ଏଜେଣ୍ଟମାନଙ୍କୁ ପଞ୍ଜୀକରଣ ପାଇଁ ୧୨ ମାସ ସମୟ ଦିଆଯିବ ।

Comments are closed.