ଆରମ୍ଭ ହେଲା ଲୋୟର ଇନ୍ଦ୍ର ବିସ୍ଥାପିତଙ୍କୁ ସହାୟତା ପ୍ରଦାନ

ସହାୟତା ରାଶି, ବିଜୁ ପକ୍କାଘର ପାଇବେ ୩୨୩୭ ପରିବାର

ନୂଆପଡ଼ା : ନୂଆପଡା ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ତାଙ୍କ ବିସ୍ଥାପନ ଥଇଥାନ ନୀତିକୁ ଆପଣାଇ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ବିସ୍ଥାପିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ବିସ୍ଥାପିତଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଆରମ୍ଭ ହୋଇଛି । ଆଉ ଏହି ସମସ୍ତ ପ୍ରଭାବିତ ପରିବାରକୁ ବିଜୁ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ ବି ଆରମ୍ଭ ହୋଇଛି । କୌଣସି ବିସ୍ଥାପିତ ଯେମିତି ସେମାନଙ୍କ ନ୍ୟାୟୋଚିତ ହକରୁ ବଞ୍ଚିତ ହେବେ ନାହିଁ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆପଡ଼ା ଜିଲ୍ଲା କୋମନା ଓ ଖଡ଼ିଆଳ ବୃକ ମଧ୍ୟସ୍ଥ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ବିସ୍ଥାପିତଙ୍କୁ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ଦ୍ବାରା ପ୍ରଭାବିତ ୩୨୩୭ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ଓ ବିଜୁ ପକ୍କା ଘର ଯୋଗାଇ ଦିଆଯିବ । ଏହି ପରିପ୍ରେକ୍ଷୀରେ ତିଖାଲି ସ୍ଥିତ ଡାକ ବଙ୍ଗଳା ଠାରେ ଜିଲ୍ଲାପାଳ ସ୍ଵାଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏସପି ପ୍ରତ୍ୟୁଷ ଦିବାକର , ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ , ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଧାୟକ ରାଜେନ୍ଦ୍ର ଢୋଲକିଆ , ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ , ପ୍ରକଳ୍ପ ସ୍ଵତନ୍ତ୍ର ଭୂଅର୍ଜନ ଅଧୁକାରୀ ତରଣୀସୁନା , ପ୍ରକଳ୍ପ ନିର୍ମାଣ ମୁଖ୍ୟଯନ୍ତ୍ରୀ ବିବି ମିର୍ଜା , ଲୋୟଇ ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ସଭାପତି ନିତ୍ୟାନନ୍ଦ ପ୍ରଧାନ , ସମ୍ପାଦକ ଗୋପିନାଥ ଗୌଡ , ଲୋୟର ଇନ୍ଦ୍ର ଜନ ସଚେତନ ମଞ୍ଚ ସଭାପତି ନିଲକଣ୍ଠ ପ୍ରଧାନ , ସମ୍ପାଦକ କିଶୋର କଠାର , କୋନାବିରା ସରପଞ୍ଚ ଇଶ୍ୱର ନାଏକ , ପେଣ୍ଡରାବନ୍ଧ ସରପଞ୍ଚ ଅମରେଶ ପଟ୍ଟନାୟକ , ଜୋନ ଅଫିସର କପିଲଦେବ ସାହୁ , କାଲୁ ମାଝି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କାଲିମାଟି ଗାଁର ବିସ୍ଥାପିତ ପୀତବାସ ଭୋଇ , ପ୍ରହଲ୍ଲାଦ ମାଝି , ପୂର୍ଣ୍ଣ ମାଝି , ଉଦିଆ ମାଝି , ଗଜେନ୍ଦ୍ର ବାଗ , ହେମ ସାହୁ , ଭୁବନେଶ୍ୱର ସାହୁ , ଝାଲକୁଶମ ଗାଁର ରାମ ମାଝି , ରଘୁପାଲି ଗାଁର ବସ କୈବର୍ତ୍ତ ପ୍ରମୁଖ ବିସ୍ଥାପିତଙ୍କୁ ୧ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଓ ବିଜୁ ପକ୍କାଘର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ ।

ସେହିପରି ବିସ୍ଥାପିତ କାଲିଦାସ ସୁନାନୀଙ୍କୁ ବିସ୍ଥାପିତ ପରିଚୟପତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପର ୩୨୩୭ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି , ବିଜୁ ପକ୍କାଘର ଓ ବିସ୍ଥାପିତ ପରିଚୟ ପତ୍ର ପ୍ରଦାନ କରାଯିବ । ଏହି ସହାୟତା ପ୍ରଦାନ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ସମସ୍ତ ବିସ୍ଥାପିତଙ୍କ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଏଠାରେ ୧୦ ଖଣ୍ଡ ସମ୍ପୁର୍ଣ୍ଣ ବୁଡି ଓ ୨୧ ଖଣ୍ଡ ଆଂଶିକ କ୍ଷତିଗ୍ରସ୍ତ ଗାଁର ବିସ୍ଥାପିତ ଓ କ୍ଷତିଗ୍ରସ୍ତ ମାନେ ଉପସ୍ଥିତ ଥିଲେ । ତେବେ ଦୀର୍ଘ ବର୍ଷ ପରେ ବିସ୍ଥାପିତ ମାନେ ଅନୁକମ୍ପା ମୂଳକ ସହାୟତା ରାଶି ଓ ବିଜୁ ପକ୍କା ଘର ଯୋଜନାରେ ବାସଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିବାରୁ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ ।

Comments are closed.