ସିବିଆଇ ଅଧିକାରୀ ଭାବେ ଡାକ୍ତରଙ୍କୁ ଲୁଟିଥିବା ଠକ ଧରାପଡିଲା

ବଲାଙ୍ଗୀର- ଧରାପଡିଲା ନକଲି ସିବିଆଇ ଅଫିସର । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ନିଜକୁ ଜଣେ ସିବିଆଇ ଅଫିସର ବୋଲି ପରିଚୟ ଦେଇ ଜଣେ ଡାକ୍ତରଙ୍କୁ ଲୁଟିଥିବା ଠକକୁ କାବୁ କରିଛି ପୋଲିସ । ବଲାଙ୍ଗୀର ରୋଡ ନିକଟରେ ରହୁଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଗୋପବନ୍ଧୁ ସାହୁଙ୍କ ଘରେ ଏକ ଧଳା କାର୍‌ରେ ଜଣେ ଲୋକ ପହଞ୍ଚିଥିଲେ। ସେ ନିଜକୁ ସିବିଆଇ ଅଫିସର ଭାବେ ପରିଚୟ ଦେଇଥିଲେ । ଡାକ୍ତର ଜଣକ ଆୟକର ଫାଙ୍କୁଥିବା ଓ ତାଙ୍କ ନାମରେ ଗୁରୁତର ଅଭିଯୋଗ ହୋଇଥିବା କହିଥିଲେ। ବିଭିନ୍ନ ପ୍ରଶ୍ନ ପଚାରିବା ସହ କାର୍ଯ୍ୟାନୁଷ୍ଠାନ ବାହାନାରେ ଡାକ୍ତରଙ୍କ ଆଲମାରୀରେ ଥିବା ୧ ଲକ୍ଷ ଟଙ୍କା ଜବତ କରି ସଂପୃକ୍ତ ବ୍ୟକ୍ତି ଚମ୍ପଟ ମାରିଥିଲା। ଡାକ୍ତରଙ୍କ ସ୍ତ୍ରୀ ତାଙ୍କ ଭାଇଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସେ ଠକେଇର ଶିକାର ହୋଇଥିବା ଜଣାପଡିଥିଲା । ସେ ତୁରନ୍ତ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ଠକକୁ ଧରିବା ପାଇଁ ପଦକ୍ଷେପ ଗ୍ରହଣ କରି ସଇନ୍ତଲା ପୁଲିସ୍‌କୁ ଖବର ଦେଇଥିଲା। ପରେ ସଇନ୍ତଲା ପୁଲିସ୍‌ ନବୀନ ଛକଠାରେ ତାକୁ କାବୁ କରିଥିଲା। ପରେ ଟିଟିଲାଗଡ଼ ଥାନାକୁ ଅଭିଯୁକ୍ତକୁ ଅଣାଯିବା ସହ ବ୍ୟବହୃତ କାର୍‌ ଜବତ କରାଯାଇଛି।

Comments are closed.