ଯୌତୁକରେ ବିଏମଡବ୍ଲୁ କାର୍ ନ ମିଳିବାରୁ ବିବାହ କରିବାକୁ ମନାକଲେ ବୟଫ୍ରେଣ୍ଡ୍, ଆତ୍ମହତ୍ୟା କଲେ ଡ଼ାକ୍ତର

ଥିରୁବନନ୍ତପୁରମ୍: ମଣିଷ ଯେତେ ଶିକ୍ଷିତ ଓ ଆଧୁନିକ ହେଲେ ବି ଯୌତୁକ ନାମକ କୁସଂସ୍କାରରୁ ମୁକ୍ତ ହୋଇପାରୁ ନାହିଁ। ଏଭଳି ଏକ ଉଦାହରଣ ଦେଶର ସର୍ବାଧିକ ସାକ୍ଷରତା ହାର ଥିବା ରାଜ୍ୟ କେରଳରେ ଦେଖିବାକୁ ମିଳିଛି। ଦାବି ମୁତାବକ ଯୌତୁକ ନ ମିଳିବାରୁ ପୁଅଘର ବିବାହ କରିବାକୁ ମନା କରିବା ପରେ ଅବସାଦଗ୍ରସ୍ତ ହୋଇ ଜଣେ ୨୬ ବର୍ଷୀୟା ଡାକ୍ତର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଡ଼ାକ୍ତରଙ୍କ ପରିଚୟ ଥିରୁଭନନ୍ତପୁରମର ଶହାନା ବୋଲି ଜଣାପଡିଛି। ଏହି ଘଟଣାରେ ଶହାନାଙ୍କ ବୟଫ୍ରେଣ୍ଡ୍ ରୁଓ୍ବାଇଜଙ୍କୁ ଗିରଫ କରିଛି ପୋଲିସ । ରୁଓ୍ବାଇଜ ମଧ୍ୟ ପେସାରେ ଜଣେ ଡ଼ାକ୍ତର।

ଶହାନା ଥିରୁଭନନ୍ତପୁରମ ମେଡିକାଲ୍ କଲେଜର ସର୍ଜରି ବିଭାଗର ପିଜି ଛାତ୍ରୀ ଥିଲେ । ତେବେ ଡିସେମ୍ବର ୫ରେ ତାଙ୍କ ମୃତଦେହ ସେ ରହୁଥିବା ଫ୍ଲାଟରୁ ମିଳିଥିଲା।

ଶହାନାଙ୍କ ପରିବାର ଅଭିଯୋଗ କରିଛନ୍ତିି ଯେ, ଶହାନାଙ୍କ ବିବାହ ତାଙ୍କ ବୟଫ୍ରେଣ୍ଡ୍ ସହ ଠିକ୍ ହୋଇଥିଲା । କିନ୍ତୁ ପୁଅଘର ଯୌତୁକରେ ସୁନା, ଜମି ଏବଂ ବିଏମଡବ୍ଲୁ କାର୍ ଦାବି କରିଥିଲେ। ଶହାନାଙ୍କ ପରିବାର ଏହି ଦାବି ପୂରଣ କରିବାକୁ ଅସମର୍ଥତା ପ୍ରକାଶ କରିବାରୁ ପୁଅ ବାହା ହେବାକୁ ମନା କରିଦେଇଥିଲା | ଏହି କାରଣରୁ ଚିନ୍ତାଗ୍ରସ୍ତ ହୋଇ ଶହାନା ଆତ୍ମହତ୍ୟା କରିଛନ୍ତି ।

ଶହାନାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଶହାନାଙ୍କ ବୟଫ୍ରେଣ୍ଡ୍ ଡାକ୍ତର ରୁଓ୍ବାଇଜଙ୍କୁ ଗିରଫ କରିଛି । ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ।

ଶାହାନାର ବାପା ମଧ୍ୟପ୍ରାଚ୍ୟରେ କାମ କରୁଥିଲେ । ନିକଟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା ।

Comments are closed.