ମଦଭାଟିର କଳା ଟଙ୍କା ଗଣତି ଶେଷ , ଆୟକର ବିଭାଗର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ନଜର

ବଲାଙ୍ଗୀର/ସମ୍ବଲପୁର – ବଲାଙ୍ଗୀର ସୁଦପଡ଼ା ମଦଭାଟିରେ ଆୟକର ଚଢ଼ାଉ ପରେ ଠାବ ହୋଇଥିବା ବିଡା ବିଡା କଳାଟଙ୍କାର ଗଣତି ଶେଷ ହୋଇଛି । ତୃତୀୟ ଦିନରେ ଟଙ୍କାର ପାହାଡ଼କୁ ଗଣି ଶେଷ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ମୋଟ ୧୭୦ କୋଟି ଟଙ୍କା ଗଣତି ସରିଛି ।ଗତକାଲି ତୃତୀୟ ଦିନରେ ବ୍ୟାଙ୍କ କର୍ମଚାରୀ ୧୨୪ କୋଟି ଟଙ୍କା ଗଣିଥିଲେ । ୧୦୬ଟି ବ୍ୟାଗରୁ ଏହି ଟଙ୍କା ଗଣା ଯାଇଥିଲା । ଏହା ପୂର୍ବରୁ ଶୁକ୍ରବାର ୪୬ କୋଟି ଟଙ୍କା ଗଣା ହୋଇଥିଲା । ଏତେ ଟଙ୍କା ଗଣିବାକୁ ବ୍ୟାଙ୍କ କର୍ମଚାରୀଙ୍କୁ ୬୦ ଘଣ୍ଟା ସମୟ ଲାଗିଥିଲା । ଏପରିକି ଟଙ୍କା ଗଣିବାକୁ ମଧ୍ୟ ମେସିନ କମ ପଡ଼ିଯାଇଥିଲା । ବିଭିନ୍ନ ବ୍ୟାଙ୍କରୁ ମେସିନ ମଗାଯାଇ ଟଙ୍କା ଗଣାଯାଇଥିଲା ।

ଅନ୍ୟପକ୍ଷେ, ସୁଦପଡା ମଦ ଭାଟିରେ ଥିବା ପୁରୁଣା ଟ୍ରେଜେରୀ ଗ୍ୟାସ୍ କଟର ମାଧ୍ୟମରେ ଆୟକର ବିଭାଗ ପକ୍ଷରୁ କଟାଯାଇଛି । ତେବେ, ଟ୍ରେଜେରୀ ଖାଲି ଥିବା ଜଣାପଡ଼ିଛି । ଟ୍ରେଜେରୀଟିକୁ ପୂର୍ବରୁ ସ୍ଵର୍ଗତ ବଳଦେବ ସାହୁ ବ୍ୟବହାର କରୁଥିଲେ । ଟ୍ରେଜେରୀ ଚାବି ହଜି ଯାଇଥିବାରୁ ଗ୍ୟାସ୍ କଟରେ ମାଧ୍ୟମରେ ଏହାକୁ କଟାଯାଇଥିଲା ।

ସେପଟେ ଜବତ ଟଙ୍କା ଗଣତି ବେଳେ ଇନ୍ସପେକ୍ଟର ତିଓ୍ବାରୀ ନାଁରେ ଏକ ୫ ଲକ୍ଷ ଟଙ୍କା ଭର୍ତ୍ତି ପଲିଥିନ ବ୍ୟାଗ ଜବତ କରିଛି ଆୟକର ବିଭାଗ I ବସ୍ତାରେ ଥିବା ଟଙ୍କା ବାହାର କରିବା ବେଳେ ଇନ୍ସପେକ୍ଟର ତିଓ୍ବାରୀ ନାଁ ଲେଖା ଯାଇଛି ।ଆୟକର ବିଭାଗର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କ’ଣ ରହିବ, ତା ଉପରେ ସମସ୍ତଙ୍କ ନଜର ରହିଛି।

ଏଣେ ସମ୍ବଲପୁରରେ ବି ଟଙ୍କା ଗଣା ଶେଷ ହୋଇଛି। ସମ୍ବଲପୁର ଷ୍ଟେଟ ବ୍ୟାଙ୍କରେ ଶେଷ ହୋଇଛି ଟଙ୍କା ଗଣତି । ସହରର ଦୁଇଟି ମଦଭାଟି ଓ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଥିଲା । ରେଡ୍ ବେଳେ ମୋଟ ୩୭ କୋଟି ୫୦ ଲକ୍ଷ ଜବତ ହୋଇଥିବା ଷ୍ଟେଟବ୍ୟାଙ୍କ ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି । ଆୟକର ବିଭାଗ କେବଳ ଗୋଟିଏ ଦିନ ରେଡ କରି ଏତେ ପରିମାଣର ଟଙ୍କାକୁ ଜବତ କରିଥିଲା ।

Comments are closed.