ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ : ଦଳକୁ ଆହୁରି ସୁଦୃଢ କରିବାକୁ ସଙ୍କଳ୍ପ 

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ ଦଳକୁ ଆହୁରି ସୁଦୃଢ କରିବାକୁ ସଙ୍କଳ୍ପ ନେଇ ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି । ଗୋପାଳପୁରରେ ଅନୁଷ୍ଠିତ ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀରେ ସବୁ ଆସନରେ ଦଳର ବିଜୟ ପାଇଁ ସଂକଳ୍ପ ନିଆଯାଇଛି । କାର୍ଯ୍ୟକାରିଣୀରେ ପଞ୍ଚାୟତ ପ୍ରତିନିଧିଙ୍କଠାରୁ ବିଧାୟକ ଓ ସାଂସଦମାନେ ଉପସ୍ଥିତ ରହି ଦଳକୁ ଆହୁରି ମଜବୁତ କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଏହି ଅବସରରେ ଜିଲ୍ଲାର ପ୍ରମୁଖ ମନ୍ଦିରଗୁଡିକର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାରେ ଗାଁ ଗାଁରେ ବିଜେଡି ସଂଗଠନକୁ ଆହୁରି ମଜଭୁତ କରିବାକୁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ପ୍ରସ୍ତୁତ ହୋଇଛି ରଣନୀତି । ଆଗାମୀ ନିର୍ବାଚନରେ ଗଞ୍ଜାମର ସବୁ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀରେ ବିପୁଳ ବିଜୟ ପାଇଁ କରାଯାଇଛି ବ୍ଲୁପ୍ରିଣ୍ଟ । ରାଜ୍ୟ ସରକାରଙ୍କ ସୁଶାସନ ଓ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁତ୍ବ ଦିଆଯାଇଛି । ଘରେ ଘରେ ଶଙ୍ଖ ତଥା ଘରକୁ ଘର ହାଉସ ଟାଗିଂ କାର୍ଯ୍ୟରେ ସାମିଲ ହୋଇ ବୁଥ୍ ସ୍ତରରେ ସଂଗଠନକୁ ସୁଦୃଢ଼ କରାଯିବ । ଲୋକଙ୍କ ବିଶ୍ବାସକୁ ଅତୁଟ ରଖି ୨୦୨୪ରେ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ସମସ୍ତେ ସଂକଳ୍ପ ନେଇଛନ୍ତି ।

୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ଯୋଗଦାନ କରିଥିବାରୁ ଗଞ୍ଜାମ ବିଜେଡି ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି ।କାର୍ଯ୍ୟକାରିଣୀରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଆସିକା ସାଂସଦ ପ୍ରମିଳା ବିଶୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.