ସଂସଦର ସୁରକ୍ଷା ଭେଦ ଘଟଣା: ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଆତଙ୍କବାଦ ଦଫା

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭେଦ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ) ଅଧୀନରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସର ଆଣ୍ଟି ଟେରର୍ ୟୁନିଟ୍ ସ୍ପେଶାଲ୍ ସେଲ୍ ଏହି ଘଟଣାର ତଦନ୍ତ କରଛି।

ଅନ୍ୟପକ୍ଷରେ ଲୋକସଭା ସଚିବାଳୟ ଅନୁରୋଧ କ୍ରମେ ଗୃହ ମନ୍ତ୍ରଣାଳୟ ଏହି ମାମଲାର ତଦନ୍ତ ପାଇଁ ସିଆରପିଏଫ୍ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ଏସ୍ଆଇଟି ଗଠନ କରିଛି।

ସଂସଦ ଭବନର ସୁରକ୍ଷା ଭେଦ ଘଟଣାରେ ମୋଟ ୬ ଜଣ ଲୋକ ସାମିଲ ଥିଲେ । ଏଯାବତ୍ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ଷଷ୍ଠ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।

ବୁଧବାର ଗୃହକାର୍ଯ୍ୟ ଚାଲିଥିବାବେଳେ ଦୁଇଜଣ ବ୍ୟକ୍ତି ହଠାତ୍ ଦର୍ଶକ ଗ୍ୟାଲେରୀରୁ ଲୋକସଭା ମଧ୍ୟକୁ ଡେଇଁପଡିଥିଲେ । ଜୋତାରୁ ଧୂଆଁ କ୍ୟାନ୍ ବାହାର କରି ଧୂଆଁ ଛାଡ଼ି ଆତଙ୍କ ଖେଳାଇଥିଲେ। ଠିକ୍ ଏହି ସମୟରେ ସଂସଦ ବାହାରେ ମଧ୍ୟ ଜଣେ ମହିଳାଙ୍କ ସହ ଆଉ ଦୁଇଜଣ ବିକ୍ଷୋଭକାରୀ ଧୂଆଁ ଉଡ଼ାଇ ବିରୋଧ ପ୍ରଦର୍ଶନ କରିଥିଲେ । ପରେ ସମସ୍ତ ଚାରି ଜଣଙ୍କୁ ଗିରଫ କରାଯାଇଥିଲା। ସଂସଦ ଉପରେ ୨୦୦୧ ଆତଙ୍କବାଦୀ ଆକ୍ରମଣର ୨୨ତମ ବାର୍ଷିକୀରେ ଏହି ଘଟଣା ଘଟିଥିବା ବେଳେ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ଗିରଫ ପାଞ୍ଚ ଜଣ ଅଭିଯୁକ୍ତ ପରସ୍ପରକୁ ଜାଣିଥିଲେ। ସେମାନେ ତିନି ଦିନ ପୂର୍ବେ ଳ ଗୁରୁଗ୍ରାମରେ ଜଣେ ବନ୍ଧୁଙ୍କ ଘରେ ଏକାଠି ହୋଇଥିଲେ ।

ଗିରଫ ଅଭିଯୁକ୍ତ ହେଲେ ସାଗର ଶର୍ମା (ଲକ୍ଷ୍ନୌ), ଡି.ମନୋରଂଜନ (ମହୀଶୂର), ଆମୋଲ ସିନ୍ଦେ (ଲାଟୁର), ନୀଲମ (ଜିନ୍ଦ୍) ଲଲିତ ଝା (ଗୁରୁାଗ୍ରାମ) ।

ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ପୋଲିସ ଥାନାରେ ଅଭିଯୁକ୍ତଙ୍କୁ ପଚରାଉଚରା କରୁଥିବା ଦିଲ୍ଲୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମସ୍ତ ପାଞ୍ଚ ଜଣ ଭଗତ୍ ସିଂ ଫ୍ୟାନ୍ କ୍ଲବ ନାମକ ଏକ ଫେସବୁକ ଗ୍ରୁପର ଅଂଶବିଶେଷ ଥିଲେ। ସେମାନେ ଗତ ଏକ ବର୍ଷ ଧରି ପରସ୍ପରକୁ ଜାଣିଥିଲେ। ସଂସଦ ଭିତରେ ପଶିବା ପାଇଁ ସେମାନେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ । ସମସ୍ତ ୬ ଜଣ ସଂସଦ ଭିତରେ ପଶିବା ପାଇଁ ଯୋଜନା ରହିଥିଲା । ତେବେ କେବଳ ଦୁଇ ଜଣଙ୍କୁ ପାସ୍ ମିଳିଥିଲା । ଲୋକସଭାରେ ଭିତରେ ପଶିଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ମା ପାସ୍ ଦେଇଥିଲେ ।

Comments are closed.