ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ଆଜି ଜମି ପଟ୍ଟା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା – ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ପାଇଁ ଦୀର୍ଘ ବର୍ଷର ଜମିଜମା ସମସ୍ୟାର ସମାଧାନ ହେବା ପରେ ଆଜି ସେମାନଙ୍କୁ ମିଳିବ ଜମି ପଟ୍ଟା । ଏସବୁ ଜମିର ପଟ୍ଟା ପାଇବେ ହିତାଧିକାରୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିତାଧିକାରୀମାନଙ୍କୁ ବଣ୍ଟନ କରିବେ ଜମିପଟ୍ଟା ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନର ଜମିଜମା ସମସ୍ୟା ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାଗସ୍ତ ସମୟରେ ସେ ବିସ୍ଥାପିତଙ୍କ ଜମି ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ ଓ ଏ ସଂପର୍କରେ ବିଭିନ୍ନ ବୈଠକରେ ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ୫୦ ବର୍ଷରୁ ଅଧିକ ସମୟର ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଆଜି ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୭ଟି ଗାଁର ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ କରିବେ । ଲେମେଇତିକ୍ରା, ପାତ୍ରପଲ୍ଲୀ, ଛାଡରମା, ଦୁଆଁମୁଣ୍ଡା, ଲାଛିପାଲ୍ଲୀ, ସାହସବାଗ ଓ ବିନକା ଗାଁର ପ୍ରାୟ ୯୦୦ଟି ପରିବାର ଜମି ପଟ୍ଟା ପାଇବେ ।

Comments are closed.