୩୫୦ କୋଟି ଜବତ ନେଇ ମୁହଁ ଖୋଲିଲେ ଧୀରଜ ସାହୁ, କହିଲେ ‘ଜବତ ଟଙ୍କା…’

ନୂଆଦିଲ୍ଲୀ: ତାଙ୍କ ମଦ କମ୍ପାନୀ ଓ ଘରୁ ମିଳିଥିବା ଟଙ୍କାର ପାହାଡ଼ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ଧୀରଜ ସାହୁ । ଜବତ ସବୁ ଟଙ୍କା ତାଙ୍କର ନୁହେଁ । ମିଳିଥିବା ଟଙ୍କା ସହ କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳର ମଧ୍ୟ କିଛି ସମ୍ପର୍କ ନାହିଁ। ବିନା କାରଣରେ ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଏହି କଂଗ୍ରେସ ନେତା।

ମୋ ପରିବାର ବହୁତ ବଡ଼। ଜବତ ଟଙ୍କା ମୋ ପରିବାର ଲୋକଙ୍କର କମ୍ପାନୀ ସହ ଜଡ଼ିତ। ଆୟକର ବିଭାଗ ମଧ୍ୟ ଜବତ ଟଙ୍କା ବେଆଇନ ବୋଲି କହି ନାହାଁନ୍ତି। ଏପରି ସ୍ଥିତିରେ କୌଣସି ପ୍ରକାରର ନିଷ୍କର୍ସରେ ପହଞ୍ଚିବା ଭୁଲ ହେବ । ଜବତ ପ୍ରତିଟି ଟଙ୍କାର ହିସାବ ଦିଆଯିବ ବୋଲି ଧୀରଜ ସାହୁ କହିଛନ୍ତି ।

ପ୍ରକାଶଯୋଗ୍ୟ, ନିକଟରେ ଆୟକର ବିଭାଗର ଚଢ଼ାଉ ବେଳେ ଧୀରଜ ସାହୁ ଓ ତାଙ୍କ ସମ୍ପର୍କୀୟଙ୍କ ଓଡ଼ିଶା ସ୍ଥିତ ମଦ କମ୍ପାନୀ ପରିସରରୁ ୩୫୦ କୋଟି ଟଙ୍କା ଜବତ କରାଯାଇଥିଲା । କୌଣସି ସଂସ୍ଥା ଦ୍ବାରା ଏତେ ପରିମାଣର ଟଙ୍କା ଜବତ ଭାରତରେ ପ୍ରଥମ ଘଟଣା । ଜବତ ଟଙ୍କା ଗଣିବାକୁ ପ୍ରାୟ ସପ୍ତାହେ ଲାଗିଥିଲା । ଏଥିପାଇଁ ତିନୋଟି ବ୍ୟାଙ୍କର କର୍ମଚାରୀ ନିୟୋଜିତ ହୋଇଥିଲେ | ଧୀରଜ ସାହୁଙ୍କ ସହ ଜଡ଼ିତ ସ୍ଥାନରୁ ଏତେ ପରିମାଣର ଟଙ୍କା ଜବତ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଥିଲା ବିଜେପି । ପ୍ରଧାନମନ୍ତ୍ରୀ ମୋଦୀ ବି ଏହି ଘଟଣାର ଏକ ଖବରକାଗଜ ରିପୋର୍ଟ ‘ଏକ୍ସ’ରେ ପୋଷ୍ଟ କରି କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟକୁ ଆକ୍ରମଣ କରିଥିଲେ ‌ । ଅନ୍ୟପକ୍ଷରେ କଂଗ୍ରେସ ଟଙ୍କା ଜବତ ମାମଲାରୁ ନିଜକୁ ଦୂରେଇ ରଖିଥିଲା।

ଧୀରଜ ସାହୁ କିଏ?

ଧୀରଜ ସାହୁ କଂଗ୍ରେସର ରାଜ୍ୟସଭା ସାଂସଦ। ସେ ତୃତୀୟ ଥର ପାଇଁ ରାଜ୍ୟସଭା ସଦସ୍ୟ ହୋଇଛନ୍ତି । ଏହାଛଡ଼ା ସେ କଂଗ୍ରେସ ଟିକେଟରେ ଚତରା ଲୋକସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ସେ ହାରିଯାଇଥିଲେ। ଧୀରଜ ସାହୁଙ୍କ ପରିବାର ମଦ ବ୍ୟବସାୟ ସହ ଜଡ଼ିତ। ଝାଡଖଣ୍ଡର ଲୋହରଦଗା ଜିଲ୍ଲାରେ ତାଙ୍କର ବଳଦେବ ସାହୁ ଏବଂ ଗ୍ରୁପ୍ ଅଫ୍ କମ୍ପାନୀ ରହିଛି | ତାଙ୍କର ଏହି କମ୍ପାନୀ ୪୦ ବର୍ଷ ପୂର୍ବେ ଓଡିଶାରେ ବି ମଦ ବ୍ୟବସାୟ ଆରମ୍ଭ କରିଥିଲା।

Comments are closed.