ସଂସଦ ଇତିହାସରେ ଅଲୋଡ଼ା ରେକର୍ଡ, ଦିନକରେ ୭୮ ସାଂସଦ ନିଲମ୍ବିତ, ବିରୋଧୀଙ୍କ ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ଘଟଣା ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିବୃତି ଦାବି କରି ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସୋମବାର ଦିନକରେ ମୋଟ ୭୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଲୋକସଭାରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୩ ଜଣ ସାଂସଦ ଏବଂ ରାଜ୍ୟସଭାରୁ କଂଗ୍ରେସ ନେତା ଜୟରାମ ରମେଶଙ୍କ ସହ ୪୫ ସାଂସଦଙ୍କୁ ଚଳିତ ଅଧିବେଶନରୁ ନିଲମ୍ବିତ କରାଯାଇଛି।

ଦିନକରେ ଏତେ ସଂଖ୍ୟକ ସାଂସଦ ନିଲମ୍ବିତ ହେବା ସଂସଦୀୟ ଗଣତନ୍ତ୍ର ଇତିହାସରେ ପ୍ରଥମ ଘଟଣା । ଏହାଛଡ଼ା ଗତ ସପ୍ତାହରେ ନିଲମ୍ବିତ ୧୪ ସାଂସଦ (ଲୋକସଭାରୁ ୧୩, ରାଜ୍ୟସଭାରୁ ୧)ଙ୍କୁ ମିଶାଇଲେ ଚଳିତ ଶୀତ ଅଧିବେଶନରେ ମୋଟ ୯୨ ସାଂସଦ ନିଲମ୍ବିତ ହୋଇଛନ୍ତି, ଯାହା କୌଣସି ଗୋଟିଏ ଅଧିବେଶନରେ ସର୍ବାଧିକ ।

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ସେମାନେ (ନିଲମ୍ବିତ ସାଂସଦ) ଗୃହ ସଠିକ୍ କାର୍ଯ୍ୟ କରୁ ବୋଲି ଚାହୁଁନାହାଁନ୍ତି। ଏହା ସେମାନଙ୍କର ସୁଚିନ୍ତିତ ରଣନୀତି |

ଅନ୍ୟପକ୍ଷରେ ଲୋକସଭା ଓ ରାଜ୍ୟସଭାରୁ ସାଂସଦଙ୍କ ନିଲମ୍ବନକୁ ନେଇ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସୋସିଆଲ ପ୍ଲାଟଫର୍ମ ‘ଏକ୍ସ’ରେ ନିଜ ମତ ପ୍ରକାଶ କରିଛନ୍ତି । ଏହି ପଦକ୍ଷେପକୁ ସଂସଦ ଏବଂ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ସେ କହିଛନ୍ତି।

ସେ ଲେଖିଛନ୍ତି, ପ୍ରଥମେ ଅନୁପ୍ରବେଶକାରୀମାନେ ସଂସଦ ଉପରେ ଆକ୍ରମଣ କରିଥିଲେ, ତା’ପରେ ମୋଦୀ ସରକାର ସଂସଦ ଏବଂ ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି। ନିରଙ୍କୁଶ ମୋଦୀ ସରକାର ୪୭ ସାଂସଦଙ୍କୁ ନିଲମ୍ବନ କରି ଗଣତନ୍ତ୍ର ମୂଲ୍ୟବୋଧକୁ ଡଷ୍ଟବିନରେ ଫିଙ୍ଗିଛନ୍ତି ବୋଲି କହିଛନ୍ତି ଖଡ଼ଗେ ।

କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ୍ କହିଛନ୍ତି, ମୋଦୀ ଜୀଙ୍କୁ ମୋର ଗୋଟିଏ ପରାମର୍ଶ … ଗଣତନ୍ତ୍ର, ସଂସଦ ଆଦି ଛଳନା ସେ ତ୍ୟାଗ କରନ୍ତୁ । ଏସବୁ ବନ୍ଦ କରନ୍ତୁ ଓ ଆପଣଙ୍କ ଏକଛତ୍ରବାଦୀ ଶାସନ ଚଳାନ୍ତୁ | କାରଣ ବାସ୍ତବତା ହେଉଛି ପ୍ରତ୍ୟେକ ବ୍ୟକ୍ତି, ଯିଏ ନିଜର ଗଣତାନ୍ତ୍ରିକ କର୍ତ୍ତବ୍ୟ ପାଳନ ପୂର୍ବକ ଗଣତନ୍ତ୍ରର ମନ୍ଦିରରେ ପ୍ରଶ୍ନ ପଚାରନ୍ତି ତାଙ୍କୁ ନିଲମ୍ବିତ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି, ବିରୋଧୀ ଦଳର ଚେହେରାକୁ ପିଏମ୍ ମୋଦୀ ସହ୍ୟ କରିପାରୁ ନାହାଁନ୍ତି ।

ସେ କହିଛନ୍ତି, “ଏହା ଏକ ବଡ଼ ବିଡମ୍ବନାର ବିଷୟ ଯେ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଯଦି ଗୃହରେ ବିରୋଧୀଙ୍କ ସ୍ୱର ରହିବନି, ତେବେ ଗୃହ ଓ ଗଣତନ୍ତ୍ରର ଅର୍ଥ କ’ଣ?”

ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିବା ନେଇ ଶିବସେନା (ଉଦ୍ଧବ) ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତିି ।

ସେ କହିଛନ୍ତି, ଏପରି ଏକଛତ୍ରବାଦୀ ଶାସନ ଚଳିବନି। ଏହା ଦେଶ ପାଇଁ ଗ୍ରହଣୀୟ ନୁହେଁ। ଜନସାଧାରଣଙ୍କ ବିଶ୍ୱାସ ଆଧାରରେ ସେ ଏହି ଜନାଦେଶ ପାଇଛନ୍ତି। ଜାତୀୟ ସୁରକ୍ଷାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ସ୍ଵୀକାର କରିଥିବାରୁ ସେ ଏହି ଜନାଦେଶ ପାଇଥିଲେ। କିନ୍ତୁ ଆଜି ସବୁଠାରୁ ସୁରକ୍ଷିତ ଗୃହ ଉପରେ ଆକ୍ରମଣ ହେଉଛି। ପ୍ରଧାନମନ୍ତ୍ରୀ କି ଗୃହମନ୍ତ୍ରୀ ଏହା ଉପରେ କିଛି କହୁ ନାହାଁନ୍ତି।ଆମେ ଆପଣଙ୍କ ବିବୃତ୍ତି ପାଇଁ ଦାବି କଲେ ଆପଣ ଆମକୁ ଗୃହରୁ ନିଲମ୍ବିତ କରୁଛନ୍ତିି – ଏହା କାହା ପାଇଁ ଗ୍ରହଣୀୟ ନୁହେଁ | ଆମେ ସଂଗ୍ରାମ ଜାରି ରଖିବୁ …।”

Comments are closed.