ଜର୍ମାନୀରେ ଆଞ୍ଜେଲା ମର୍କେଲ୍ ଯୁଗ ଶେଷ, ସାଧାରଣ ନିର୍ବାଚନରେ ସୋସିଆଲ୍ ଡେମୋକ୍ରାଟ୍ସ ଦଳର ବିଜୟ, ଓଲାଫ ସ୍କୋଲଜ୍ ହୋଇପାରନ୍ତି ନୂଆ ଚାନ୍ସେଲର୍

ବର୍ଲିନ୍: ଆଞ୍ଜେଲା ମର୍କେଲଙ୍କ କଞ୍ଜର୍ଭେଟିଭ୍ ପାର୍ଟି ଜର୍ମାନୀର ସାଧାରଣ ନିର୍ବାଚନରେ ​​ଅଳ୍ପ ବ୍ୟବଧାନରେ ​​ହାରିଯାଇଛି। ଏଥର ସେ ଚାନ୍ସେଲର୍ ପଦରେ ରହିବେ ନାହିଁ ବୋଲି ଆଞ୍ଜେଲା ମର୍କେଲ ପୂର୍ବରୁ ଘୋଷଣା କରିସାରିଥିଲେ । ତାଙ୍କରି ଏହି ଘୋଷଣା ଭୋଟରଙ୍କ ଉପରେ ବେଶ୍ ପ୍ରଭାବ ପକାଇଛି ବୋଲି ମନେ କରାଯାଉଛି |

ସାଧାରଣ ନିର୍ବାଚନର ଫଳାଫଳ ଅନୁଯାୟୀ ଜର୍ମାନୀର ସୋସିଆଲ୍ ଡେମୋକ୍ରାଟ୍ସ ଦଳ ବହୁମତ ହାସଲ କରିଛି। ଏହାପୂର୍ବରୁ ଜର୍ମାନୀରେ ମର୍କେଲଙ୍କ
କଞ୍ଜର୍ଭେଟିଭ୍ ପାର୍ଟି ୧୬ ବର୍ଷ ଧରି କ୍ଷମତାରେ ଥିଲା | ମର୍କେଲଙ୍କ ଶାସନ କାଳରେ ଜର୍ମାନୀ ୟୁରୋପର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ହୋଇପାରିଛି। ସେଥିପାଇଁ ଜର୍ମାନୀକୁ ୟୁରୋପର ବିକାଶ ଇଞ୍ଜିନ୍ ବୋଲି କୁହାଯାଏ |

ଜର୍ମାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋସିଆଲ ଡେମୋକ୍ରାଟ୍ସ ଦଳ ୨୦୦୫ ପରଠାରୁ ପ୍ରଥମ ଥର ପାଇଁ କ୍ଷମତା ହାସଲ କରିଛି। ନିର୍ବାଚନ ଫଳାଫଳ ଅନୁଯାୟୀ ସୋସିଆଲ ଡେମୋକ୍ରାଟ୍ସ ଏପର୍ଯ୍ୟନ୍ତ ୨୬ ପ୍ରତିଶତ ଭୋଟ୍ ପାଇଥିବା ବେଳେ। ଶାସକ କଞ୍ଜର୍ଭେଟିଭ୍ ପାର୍ଟି ୨୪.୫ ପ୍ରତିଶତ ଭୋଟ୍ ପାଇଥିବା ଜଣାପଡିଛି। ତେବେ ସୋସିଆଲ ଡେମୋକ୍ରାଟ୍ସ ଏପର୍ଯ୍ୟନ୍ତ ସରକାର ଗଠନ କରିବାକୁ ଦାବି କରିନାହିଁ ।

ଏଭଳି ସ୍ଥିତିରେ ଜର୍ମାନୀରେ ପୁଣିଥରେ ଏକ ମେଣ୍ଟ ସରକାର ଦେଖିବାକୁ ମିଳିପାରେ । ଉଭୟ ସୋସିଆଲ୍ ଡେମୋକ୍ରାଟ୍ସ ଏବଂ କଞ୍ଜର୍ଭେଟିଭ୍ ପାର୍ଟି ଏକ ମିଳିତ ମଞ୍ଚ ଗଠନ କରି ସରକାର ଗଢ଼ିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏକ ନୂଆ ସରକାର ଗଠନ ପାଇଁ ସମୟ ଲାଗିପାରେ। ଚାନ୍ସେଲର ପଦ ପାଇଁ ଦାବିଦାର ସୋସିଆଲ୍ ଡେମୋକ୍ରାଟ୍ସ ପ୍ରାର୍ଥୀ ଓଲାଫ ସ୍କୋଲଜ କହିଛନ୍ତି ଯେ ତାଙ୍କ ଦଳ ଅନେକ ଆସନରେ ଆଗୁଆ ରହିଛି ।

ଚାନ୍ସେଲର ଭାବରେ ୟୁରୋପୀୟ ୟୁନିଅନର ଏକତା ବଜାୟ ରଖିବା ପାଇଁ ଆଞ୍ଜେଲା ମର୍କେଲ ଯଥା ସମ୍ଭବ ଉଦ୍ୟମ କରିଛନ୍ତି। ୨୦୦୮ ରେ ଆର୍ଥିକ ମାନ୍ଦାବସ୍ଥା, ୟୁରୋପୀୟ ୟୁନିଅନରୁ ବ୍ରିଟେନର ବିଦାୟ ତଥା ବ୍ରେକ୍ସିଟ୍, ଗ୍ରୀସର ଅର୍ଥନୈତିକ ସଙ୍କଟ ଏବଂ ଗତ ଦେଢ଼ ବର୍ଷ ଧରି ଚାଲିଆସୁଥିବା କରୋନା ସଙ୍କଟ ସମୟରେ ମର୍କେଲ ସମଗ୍ର ୟୁରୋପର ନେତୃତ୍ୱ ନେଇ ପ୍ରତିଟି ଚ୍ୟାଲେଞ୍ଜର ମୁକାବିଲା ପାଇଁ ଉଦ୍ୟମ କରିଥିଲେ।

Comments are closed.