ଲୋକସଭାରେ ଗୃହମନ୍ତ୍ରୀଙ୍କ ସୂଚନା, ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ହେବ ଆମୂଳଚୁଳ ପରିବର୍ତ୍ତନ, ଏଣିକି ଭିଡ଼ ହିଂସା ପାଇଁ ଫାଶୀଦଣ୍ଡ

ନୂଆଦିଲ୍ଲୀ: ଭାରତର ଲୋକଙ୍କ ହିତରେ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ କରାଯାଉଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଲୋକସଭାରେ କହିଛନ୍ତି । ତିନୋଟି ଅପରାଧିକ ଆଇନ ବଦଳରେ ଆଗତ ତିନି ବିଲ୍ ଦାସତ୍ୱର ମାନସିକତା ଏବଂ ଉପନିବେଶ ଯୁଗର ଆଇନରୁ ମୁକ୍ତି ପାଇଁ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍ ୨୦୨୩ ଉପରେ ଗୃହରେ ହୋଇଥିବା ଆଲୋଚନାର ଉତ୍ତର ଦେଇ ଶାହା କହିଛନ୍ତି ଯେ, ‘ବ୍ୟକ୍ତିଗତ ସ୍ୱାଧୀନତା, ମାନବ ଅଧିକାର ଏବଂ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର’ ନାମକ ତିନି ନୀତି ଆଧାରରେ ଏହି ପ୍ରସ୍ତାବିତ ଆଇନ ଅଣାଯାଇଛି ।

କାହାର ନାମ ନ ନେଇ ସେ ପରୋକ୍ଷରେ କଂଗ୍ରେସକୁ ଟାର୍ଗେଟ୍ କରି କହିଥିଲେ – ଯଦି ମନ ଇଟାଲୀରେ, ତେବେ ଏହି ଆଇନ କଦାପି ବୁଝି ହେବ ନାହିଁ, କିନ୍ତୁ ଯଦି ମନ ଏଠାକାର, ତେବେ ଏହା ବୁଝା ପଡ଼ିବ।

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ ଦାସତ୍ୱର ମାନସିକତାକୁ ଦୂର କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଲାଲ୍ କିଲାରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପନିବେଶ ଆଇନରୁ ମୁକୁଳିବା ଉଚିତ । ତେଣୁ ଗୃହ ମନ୍ତ୍ରଣାଳୟ ସେହି ଆଇନ ପରିବର୍ତ୍ତନ ନେଇ କାମ ଆରମ୍ଭ କରିଛି । ”

ଶାହ କହିଛନ୍ତି, ଏହି ବିଲ୍ ମାଧ୍ୟମରେ ସରକାର ସମସ୍ତ ତିନୋଟି ଅପରାଧିକ ଆଇନକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିଛନ୍ତି।

ସେ କହିଛନ୍ତି, “ପୂର୍ବ ଆଇନ ଅନୁଯାୟୀ ବ୍ରିଟିଶ ରାଜର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଥିଲା, ଏବେ ମାନବ ସୁରକ୍ଷା ଏବଂ ଦେଶର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି।”

ଶାହ କହିଛନ୍ତି, ମୋଦୀଙ୍କ ନେତୃତ୍ୱରେ ଏହି ଐତିହାସିକ ଗୃହରେ ପ୍ରଥମ ଥର ପାଇଁ ପ୍ରାୟ ୧୫୦ ବର୍ଷ ପୁରୁଣା ତିନୋଟି ଆଇନ, ଯାହା ଆଧାରରେ ଆମ ଅପରାଧିକ ନ୍ୟାୟ ବ୍ୟବସ୍ଥା ଚାଲୁଛି, ସେଥିରେ ଭାରତୀୟତା, ଭାରତୀୟ ସମ୍ବିଧାନ ଓ ଭାରତର ଲୋକଙ୍କ ଚିନ୍ତା ସହ ଜଡ଼ିତ ଆମୂଳଚୁଳ ପରିବର୍ତ୍ତନ ସହ ମୁଁ ଏହି ତିନୋଟି ବିଲ୍ ଆଣିଛି।

ସେ କହିଛନ୍ତି, “ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଇନରେ ‘ଆତଙ୍କବାଦ’ର ବ୍ୟାଖ୍ୟା କରାଯାଇ ନାହିଁ। ପ୍ରଥମ ଥର ପାଇଁ ମୋଦୀ ସରକାର ଆତଙ୍କବାଦକୁ ବ୍ୟାଖ୍ୟା କରିଛନ୍ତି ।

ସେ କହିଛନ୍ତି, ସରକାର ରାଜଦ୍ରୋହକୁ ଦେଶଦ୍ରୋହରେ ପରିଣତ କରିବାକୁ ଯାଉଛନ୍ତି।

ଗୃହମନ୍ତ୍ରୀ ସଂସଦରେ କହିଛନ୍ତି ଯେ ‘ମବ୍ ଲିଞ୍ଚିଂ(ଭିଡ଼ ହିଂସା)’ ଏକ ଜଘନ୍ୟ ଅପରାଧ । ପ୍ରସ୍ତାବିତ ଆଇନରେ ‘ମବ୍ ଲିଞ୍ଚିଂ’ ଅପରାଧ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯାଇଛି।

ଶାହ କହିଥିଲେ, “ମୁଁ ବିରୋଧୀଙ୍କୁ ପଚାରିବାକୁ ଚାହେଁ ଯେ ଆପଣ ମଧ୍ୟ ବର୍ଷ ବର୍ଷ ଧରି ଦେଶ ଶାସନ କରିଆସିଛନ୍ତି, ଆପଣ କାହିଁକି ‘ମବ୍ ଲିଞ୍ଚିଂ ବିରୋଧରେ ଆଇନ କରିନାହାଁନ୍ତି? ଆମକୁ ଗାଳି ଦେବା ପାଇଁ ଆପଣ ‘ମବ୍ ଲିଞ୍ଚିଂ’ ଶବ୍ଦ ବ୍ୟବହାର କରିଥିଲ, କିନ୍ତୁ ଯେତେବେଳେ ଆପଣ କ୍ଷମତାରେ ଥିଲ, ଆପଣ ଏନେଇ ଏକ ଆଇନ ଆଣିବାକୁ ଭୁଲି ଯାଇଥିଲ |

ଶାହାଙ୍କ ମୁତାବକ, ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଅପରାଧିକ ନ୍ୟାୟ ବ୍ୟବସ୍ଥା ସହ ଜଡିତ ସମସ୍ତ ତିନୋଟି ଆଇନ ମାନବୀକରଣ ହେବ।

ଗୃହମନ୍ତ୍ରୀ ଶାହା ଲୋକସଭାରେ ଆହୁରି କହିଛନ୍ତି, ନୂଆ ଆଇନରେ ମହିଳା ଓ ଶିଶୁଙ୍କୁ ପ୍ରଭାବିତ କରୁଥିବା ଆଇନକୁ ପ୍ରାଥମିକତା ଦିଆଯାଇଛି ‌। ଏହାଛଡ଼ା ମାନବିକ ଅଧିକାର ସହ ଦେଶର ସୁରକ୍ଷା ସହ ଜଡିତ ଆଇନକୁ ପ୍ରାଧାନ୍ୟ ଦିଆଯାଇଛି।

ସେ କହିଛନ୍ତି, “ମୁଁ ତିନୋଟି ବିଲ୍ ଭଲ ଭାବରେ ପଢ଼ିଛି ଏବଂ ସେଗୁଡିକ ପ୍ରସ୍ତୁତ କରିବା ପୂର୍ବରୁ ୧୫୮ଟି ପରାମର୍ଶ ଅଧିବେଶନରେ ଅଂଶଗ୍ରହଣ କରିଛି।”

Comments are closed.