କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନ ରଦ୍ଦ ହେବ ନାହିଁ । ଗୁରୁବାର ଦିନ ଏଠାରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ ଅନୁଷ୍ଠିତ ହେବ ବୋଲି କହିଛନ୍ତି କଲିକତା ହାଇକୋର୍ଟ । ଭବାନୀପୁର ଆସନରେ ଉପନିର୍ବାଚନ କରିବା ପାଇଁ ଏକ ‘ସାମ୍ବିଧାନିକ ଆବଶ୍ୟକତା’ ବୋଲି ନିର୍ବାଚନ ଆୟୋଗଙ୍କ ଯୁକ୍ତିକୁ ଚ୍ୟାଲେଞ୍ଜ କରି ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। ଏହାକୁ ଖାରଜ କରିଛନ୍ତି ହାଇକୋର୍ଟ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଭବାନୀପୁରରୁ ଉପନିର୍ବାଚନ ଲଢ଼ୁଛନ୍ତି ।
ମମତା ଭବାନୀପୁରରୁ ୨୦୧୧ ଓ ୨୦୧୬ରେ ନିର୍ବାଚିତ ହୋଇଥିଲେ । ତେବେ ଏଥର ବିଧାନସଭା ନିର୍ବାଚନରେ ସେ ଭବାନୀପୁର ପରିବର୍ତ୍ତେ ନନ୍ଦିଗ୍ରାମରୁ ଲଢ଼ିଥିଲେ । ନନ୍ଦିଗ୍ରାମରେ ସେ ତାଙ୍କର ଏକଦା ଘନିଷ୍ଠ ସହଯୋଗୀ ଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଥିଲେ । ଏଥର ଭବାନୀପୁରରେ ତୃଣମୂଳ କଂଗ୍ରେସ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ପ୍ରାର୍ଥୀ କରିଥିଲା ଏବଂ ସେ ମଧ୍ୟ ବିଜୟୀ ହୋଇଥିଲେ । ତେବେ ଶୋଭନଦେବ ଭବାନୀପୁର ବିଧାୟକ ପଦରୁ ଇସ୍ତଫା ଦେଇ ମମତାଙ୍କ ପାଇଁ ଏହି ଆସନ ଛାଡ଼ି ଦେଇଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ମମତା ବାନାର୍ଜୀଙ୍କୁ ଟକ୍କର ଦେବେ ଭାରତୀୟ ଜନତା ପାର୍ଟି (ବିଜେପି)ର ଯୁବ ନେତ୍ରୀ ପ୍ରିୟଙ୍କା ଟିବ୍ରେଓ୍ବାଲ୍ । ଟିବ୍ରେଓ୍ବାଲ୍ କଲିକତା ହାଇକୋର୍ଟର ଜଣେ ଓକିଲ।
ରାଜ୍ୟସଭା ନିର୍ବାଚନରେ ବିପୁଳ ବିଜୟ ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମମତା ବାନାର୍ଜୀଙ୍କୁ ପଦ ବଜାୟ ରଖିବାକୁ ହେଲେ ଭବନୀପୁର ଉପନିର୍ବାଚନରେ ଜିତିବାକୁ ପଡ଼ିବ। ଅକ୍ଟୋବର ୩ରେ ଉପନିର୍ବାଚନ ଫଳାଫଳ ଘୋଷଣା କରାଯିବ।
ସାମ୍ବିଧାନିକ ନିୟମ ଅନୁଯାୟୀ ମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ଯେକୌଣସି ବ୍ୟକ୍ତି ବିଧାନସଭା କିମ୍ବା ବିଧାନ ପରିଷଦକୁ ନିର୍ବାଚିତ ହେବା ବାଧ୍ୟତାମୂଳକ ।
Comments are closed.