୫-ଟି ଅଧ୍ୟକ୍ଷଙ୍କ କଟକ ଗସ୍ତ: ଚଣ୍ଡୀ ମନ୍ଦିର, ଏସସିବି ମେଡିକାଲ କଲେଜ, ରେଭେନ୍‌ସା ବାଳିକା ବିଦ୍ୟାଳୟର ରୂପାନ୍ତର କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସଂଧ୍ୟାରେ କଟକ ଗସ୍ତରେ ଯାଇ ବିଭିନ୍ନ ରୂପାନ୍ତର କାମର ସମୀକ୍ଷା କରିଛନ୍ତି । ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ, ଚଣ୍ଡୀ ମନ୍ଦିର, ତାଳଦଣ୍ଡା କେନାଲ ଓ ରେଭେନ୍‌ସା ବାଳିକା ବିଦ୍ୟାଳୟ ଆଦି ପରିଦର୍ଶନ କରି ଥିଲେ ୫-ଟି ଅଧ୍ୟକ୍ଷ।

କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ରୂପାନ୍ତର କାମ ସଂପର୍କରେ ପୂଜକ, ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ୫-ଟି ଉପକ୍ରମରେ ମା’ଙ୍କ ମନ୍ଦିରର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଜଳ ନିଷ୍କାସନ, ପାର୍କିଂ ଓ ଅନ୍ୟାନ୍ୟ କାର୍ଯ୍ୟକୁ ଅନୁଧ୍ୟାନ କରି ଏହାକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ।

ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରିପାରିବେ ଏବଂ ଏକ ଦିବ୍ୟ ଅନୁଭବ ଲାଭ କରିବେ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ।

୫-ଟି ଅଧ୍ୟକ୍ଷ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ କରି ଏହାର ରୂପାନ୍ତର କାମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ୪ଟି କ୍ଲିନିକାଲ ବ୍ଲକ୍‌ ଓ ୧୩ଟି ଆବାସିକ ବ୍ଲକ୍‌ର ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ସଂପୂର୍ଣ୍ଣ ଭାବେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରେଭେନ୍‌ସା ବାଳିକା ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷୟିତ୍ରୀମାନଙ୍କ ସହ ସେ ଆଲୋଚନା କରିଥିଲେ । ହେରିଟେଜ ବିଲ୍ଡିଂକୁ ପୁନଃରୁଦ୍ଧାର କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ୫-ଟି ଅଧ୍ୟକ୍ଷ l ୫-ଟି ଉପକ୍ରମରେ ସ୍କୁଲର ବିକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ପାଣ୍ଡିଆନ ।
୫-ଟି ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ, ଜିଲ୍ଲାପାଳ, ସିଏମସି କମିଶନର, ଡିସିପି, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

Comments are closed.